ଘଟଣା ଓ ଦୁର୍ଘଟଣା

ବଳରାମ କୋଇଲା ଖଣିରେ ଶ୍ରମିକଙ୍କ ଉପରେ ଚଢ଼ିଗଲା ଚେନ୍‌ଡୋଜର୍ ଗାଡ଼ି, ଦୁଇ ଖଣ୍ଡ ହୋଇଗଲା ଗୋଡ଼

By Angul TV Bureau

December 08, 2025

ତାଳଚେର: ତାଳଚେର ଅଞ୍ଚଳର ବଳରାମ କୋଇଲା ଖଣିରେ ଅଘଟଣ। ଶନିବାର ସକାଳେ ବଳରାମ କୋଇଲା ଖଣିର ଶ୍ରମିକ ଡିୟୁଟିରେ ଥିବା ବେଳେ ଏକ ଚେନ୍‌ଡୋଜର୍ ଗାଡ଼ି ତାଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ତାଙ୍କର ଗୋଟିଏ ଗୋଡ଼ ସମ୍ପୂର୍ଣ୍ଣ ଭାବେ କଟି ଯାଇଛି। ଗୁରୁତର ଜଣକ ହେଲେ କାର୍ତ୍ତିକ ବେହେରା(୫୩)।

ସ୍ଥାନୀୟ ଲୋକେ କାର୍ତ୍ତିକଙ୍କୁ ତାଙ୍କ କଟା ଗୋଡ଼ ସହ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି। ତେବେ କୋଇଲା ଖଣିରେ ଶ୍ରମିକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉନଥିବା ଅଭିଯୋଗ ହୋଇଛି। ଶ୍ରମିକ ସଂଗଠନ କହିଛନ୍ତି ଯେ, ସୁରକ୍ଷା ସପ୍ତାହ ପାଳନ ବେଳେ ଠିକଠାକ ଚାଲିଥାଏ ଓ ଉପରିସ୍ଥ ଅଧିକାରୀ ପରିଦର୍ଶନ କଲା ବେଳେ ସମସ୍ତ ସୁରକ୍ଷା ବ୍ୟବସ୍ଥା ଉପରେ ଧ୍ୟାନ ଦେଇଥାନ୍ତି। ମାତ୍ର ପରେ ଶ୍ରମିକ ଠିକାଦାରମାନେ ସୁରକ୍ଷା ଉପକରଣ ନେଇ ଯାଇଥାନ୍ତି।ଏହା ଦୁର୍ଘଟଣାର ଅନ୍ୟ ଏକ କାରଣ ବୋଲି ଶ୍ରମିକମାନେ ଅଭିଯୋଗ କରିଛନ୍ତି। ଉପସ୍ଥିତ ଅଧିକାରୀ ଏଥିପ୍ରତି ଗୁରୁତ୍ୱ ଦେବାକୁ ଦାବି ହୋଇଛି।