ଘଟଣା ଓ ଦୁର୍ଘଟଣା

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିର୍ମାଣ ବେଳେ ଦୁର୍ଘଟଣା, ଶ୍ରମିକଙ୍କ ବେକ ତଳେ ପଶିଲା ରଡ୍‌

By Angul TV Bureau

March 19, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ନୂତନ ବିଲ୍ଡିଂ କାମ ଚାଲିଥିବା ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ କାମ କରୁଥିବା ଜଣେ ଶ୍ରମିକଙ୍କ ଦେହରେ ଏକ ରଡ୍‌ ଗଳି ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ଗୁରୁତର ଶ୍ରମିକ ହେଉଛନ୍ତି ଯାଜପୁର ଜିଲ୍ଲା ଜାରକା ଅଞ୍ଚଳର ମନୋରଞ୍ଜନ ବେହେରା।

ସୂଚନା ମୁତାବକ, ଆଜି ଶ୍ରମିକମାନେ ଲୁହା ରଡ଼କୁ ଦଉଡିରେ ବାନ୍ଧି ଉପରକୁ ଉଠାଉଥିଲେ। ଏହି ସମୟରେ ଏକ ରଡ୍‌ ତଳକୁ ଖସି ତଳେ କାମ କରୁଥିବା ଶ୍ରମିକ ମନୋରଞ୍ଜନଙ୍କ ବେକ ତଳେ ଗଳିଯାଇଥିଲା। ଏହା ଦେଖି ସେଠାରେ କାମ କରୁଥିବା ଅନ୍ୟ ଶ୍ରମିକମାନେ ତୁରନ୍ତ କଟର ସାହାଯ୍ୟରେ ଲୁହା ରଡ଼କୁ କାଟି ଛୋଟ କରିଥିଲେ। ତା’ପରେ ତାଙ୍କୁ ଚିକିତ୍ସା ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ଥିବାରୁ ରଡ୍‌ ସହ ହିଁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ତେବେ ବିଲ୍ଡିଂ କନ୍‌ଷ୍ଟ୍ରକସନ୍‌ କାମ ବେଳେ ଶ୍ରମିକଙ୍କ ପାଇଁ ସେଭଳି କୌଣସି ସେଫ୍ଟି ମେଜର୍ସ ନିଆଯାଇନଥିଲା। ଏଣୁ ଏଭଳି ଅଘଟଣ ଘଟିଲା ବୋଲି ଅଭିଯୋଗ ହେଉଛି।