ଘଟଣା ଓ ଦୁର୍ଘଟଣା

ନିଜ ଗାଡ଼ି ଚକା ତଳେ ଗଲା ପ୍ରାଣ! ହମ୍ପସରେ ଡେଇଁ ଗାଡ଼ିରୁ ଖସି ପଡ଼ିଥିବା ଚାଳକଙ୍କ ଉପରେ ଚଢ଼ିଗଲା ନିଜ ଟ୍ରାକ୍ଟର, ଚାଲିଗଲା ଜୀବନ

By Biswaranjan Pattnaik

October 29, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ସଦର ଥାନା ଅଞ୍ଚଳରେ ଆଜି ଏକ ଟ୍ରାକ୍ଟର ଦୁର୍ଘଟଣାରେ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ଚାଳକ ହେଲେ ଜରପଡ଼ା ଥାନା ଅନ୍ତର୍ଗତ କଞ୍ଜରା ପଞ୍ଚାୟତ ବଣୁଆସାହିର ତ୍ରିଲୋଚନ ସାହୁଙ୍କ ପୁଅ ନରହରି ସାହୁ (୩୭)।

ଖବର ଅନୁସାରେ, ସଦର ଥାନା ଅନ୍ତର୍ଗତ ପାତେଳି ଗ୍ରାମରେ ସୋମବାର ଅପରାହ୍ନରେ ଏକ ଟ୍ରାକ୍ଟର ବନ୍ତଳା ଛକ ଆଡୁ ଅନୁଗୁଳ ଆଡେ ଆସୁଥ‌ିବା ବେଳେ ପାତେଳି ଗ୍ରାମ ନିକଟରେ ଥିବା ହମ୍ପସରେ ଗାଡ଼ି କଚି ହେବାରୁ ଚାଳକ ଜଣଙ୍କ ଛିଟିକି ପଡ଼ିଥିଲେ। ଗାଡ଼ିଟି ଚାଳକଙ୍କ ଉପରେ ଚଢ଼ି ଜଣଙ୍କ ଘର ଭିତରେ ପଶି ଯାଇଥିଲା। ଚାଳକଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଛି।

ତେବେ ବ୍ରେକ ନ ଧରିବାରୁ ଏହି ଦୁର୍ଘଟଣା ଘଟିଥିବା ଥାନାରେ ନରହରିଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଆଜି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାଯାଇଛି।