ଅନୁଗୁଳ: ଆବଶ୍ୟକତାଠାରୁ ଅଧିକ ବିସ୍ଫୋରକ ରଖିବା ଅଭିଯୋଗରେ ପୋଲିସ ଜଣେ ଖଣି ଲିଜଧାରୀଙ୍କ ଠିକଣାରେ ଚଢ଼ଉ କରିଛି। ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ରେଙ୍ଗାଳି ଥାନା କୁଳୁମା ପଂଚାୟତ ଅନ୍ତର୍ଗତ ଖିଣ୍ଢୋ-ବି ପଥର କୁଆଁରିରେ ପୁଲିସ୍,ପ୍ରଶାସନ ପକ୍ଷରୁ ବୁଧବାର ଅପରାହ୍ଣରେ ଅତର୍କିିତ ଚଢାଉ କରାଯାଇଥିଲା। ଚଢାଉ ସମୟରେ ଲିଜ୍ ଧାରୀ ଫେରାର୍ ହୋଇଯାଇଥିବା ବେଳେ ୨୭୫କେଜି ବିସ୍ଫୋରକ ଜବତ ହୋଇଥିବା ନେଇ ରେଙ୍ଗାଳି ଥାନା ଆଇଆଇସି ଜୟନ୍ତ କୁମାର ମହାନ୍ତି କହିଛନ୍ତି । ଉକ୍ତ କୁଆଁରି ସରକାରୀ ଭାବରେ ଲିଜ୍ ପାଇଥିବା ବେଳେ ପଥର ବ୍ଲାଷ୍ଟିଂ ପାଇଁ ନିୟମ ମୁତାବକ ବିସ୍ଫୋରକ ସାମଗ୍ରୀ ଆବଶ୍ୟକକ ଠାରୁ ଅଧିକ ଗଚ୍ଛିତ ରଖିଥିଲେ।
ଏନେଇ ଖବର ପାଇ ଗତକାଲି ତାଳଚେର ଉପଜିଲ୍ଲାପାଳ ସମୀର ଜେନାଙ୍କ ନେତୃତ୍ୱରେ ତାଳଚେର ଡିଡିଏମ୍ ଶୁଭେନ୍ଦୁ ସାମଲ, ରେଙ୍ଗାଳି ଆଇଆଇସି ଚଢ଼ଉ କରିଥିଲେ। ଜବତ ବିସ୍ଫୋରକ ଲିଜ୍ଧାରୀ ହିମାଞ୍ଚଳ ପଣ୍ଡାଙ୍କ ନାମରେ ଥିଲା। ମାମଲାର ତଦନ୍ତ ଚାଲିଥିବା ବେଳେ ଶ୍ରୀ ପଣ୍ଡା ଫେରାର୍ ଅଛନ୍ତି। ଅନ୍ୟପଟେ ରେଙ୍ଗାଳି ଥାନା ଇଲାକାରେ ଆଉ ଦୁଇଟି କୁଆଁରି ରହିଛି । ଏହି ଦୁଇଟି ପଥର କୁଆଁରି ଅନୁରୂପ ଭାବରେ ଆବଶ୍ୟକତା ଠାରୁ ଢେର ଅଧିକ ବିସ୍ଫୋରକ ଗଚ୍ଛିତ ଥିବା ଚର୍ଚ୍ଚା ହେଉଛି। ଏଥିସହ ଚଢ଼ଉ ପାଇଁ ଦାବି ଜୋର ଧରିଛି।