ଅନୁଗୋଳ: ସ୍ଥାନୀୟ ନୂଆମୌଜା, ପଞ୍ଚମହାଳା ଅଞ୍ଚଳରେ ଦୋକାନରେ ନିଆଁ ଲଗାଇବା ଘଟଣାରେ ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି।
ପୁଲିସ ସୂଚନା ଅନୁସାରେ, ୧୫ ସେପ୍ଟେମ୍ବର ଭୋର ସମୟରେ କୁମୁଦ ଚନ୍ଦ୍ର ନାଏକଙ୍କ ଗ୍ରୋସରୀ/ଭେରାଇଟି ଦୋକାନରେ ଜଣେ ଅଜଣା ବ୍ୟକ୍ତି ଜାଣିଶୁଣି ନିଆଁ ଲଗାଇଥିବା ଅଭିଯୋଗ ହୋଇଥିଲା। ନିଆଁ ସଂଲଗ୍ନ ଗ୍ୟାରେଜ୍ ଓ ଦୋକାନକୁ ବ୍ୟାପିଯିବାରୁ ସେଠାରେ ଥିବା ସମ୍ପତ୍ତି ଓ ଏକ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିଲା। ତଦନ୍ତ ବେଳେ CCTV ଫୁଟେଜ୍ରୁ ମୁହଁ ଢାଙ୍କିଥିବା ଜଣେ ବ୍ୟକ୍ତି ପେଟ୍ରୋଲ ଢାଳି ନିଆଁ ଲଗାଉଥିବା ଜଣାପଡ଼ିଥିଲା। ସାକ୍ଷୀ ଓ ଅନ୍ୟ ପ୍ରମାଣ ଆଧାରରେ ଅଭିଯୁକ୍ତଙ୍କ ପରିଚୟ କାଳିଆ ଭୋଇ ବୋଲି ଜଣାପଡ଼ିଥିଲା। ପୂର୍ବ ବିବାଦ ଏହି ଘଟଣାର ପୃଷ୍ଠଭୂମି ଥିବା ପୁଲିସ ତଦନ୍ତରୁ ପ୍ରାଥମିକ ଭାବେ ଜଣାପଡ଼ିଛି। କାଳିଆଙ୍କୁ ଗିରଫ କରି ନ୍ୟାୟାଳୟକୁ ପଠାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।