ମୁଖ୍ୟ ଖବର

ଅନୁଗୁଳ ଜଗନ୍ନାଥ ମନ୍ଦିରରୁ ଚୋରିର ସିନ ରିକ୍ରିଏସନ କଲା ଅଭିଯୁକ୍ତ: ଭାଙ୍ଗିଲା ହୁଣ୍ଡି, ଉଠାଇଲା ଶ୍ରୀଜିଉଙ୍କ ମଥାମଣି

By Angul TV Bureau

April 10, 2025

ଅନୁଗୁଳ: ଅନୁଗୁଳ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ଚୋର ପଶୁଛି ଆଉ ଗର୍ଭ ଗୃହକୁ ଯାଇ ଠାକୁରଙ୍କ ଗହଣା ଲୁଟି ନେଉଛି। ଆଉ ତା ପରେ ହୁଣ୍ଡି ଭାଙ୍ଗି ବୁଲାଉଛି କଳା କନା। ଆଜି ମନ୍ଦିରରେ ଦେଖିବାକୁ ମିଳିଥିଲା ଏମିତି ଦୃଶ୍ୟ। ଅବସର ଥିଲା ଜାନୁଆରୀରେ ମନ୍ଦିରରୁ ହୋଇଥିବା ଚୋରିର ରିକ୍ରିଏସନ। ମନ୍ଦିର ଭିତରକୁ ପ୍ରବେଶ ଠାରୁ ଆରମ୍ଭ କରି ଚୋରି କରିବା ପର୍ଯ୍ୟନ୍ତ ସମସ୍ତ ଘଟଣାବଳୀକୁ ଚୋର ନିଜେ ଅନୁଗୁଳ ପୁଲିସ୍ ଆଗରେ ଅବିକଳ ପ୍ରଦର୍ଶନ କରିଛି। ଅଭିଯୁକ୍ତ ସୋନପୁର ଅଞ୍ଚଳର ସୁଶାନ୍ତ କର୍ମୀ (୨୬)। ତା’ ନିକଟରୁ ମଥାମଣି ଉଦ୍ଧାର କରି ମନ୍ଦିର ପରିଚାଳନା ସମିତିକୁ ହସ୍ତାନ୍ତର କରାଯାଇଛି।

ସୂଚନା ମୁତାବକ, ଗତ ଜାନୁଆରୀ ୧୬ ତାରିଖ ବିଳମ୍ବିତ ରାତିରେ ତାଲା ଭାଙ୍ଗି ଅନୁଗୁଳ ଜଗନ୍ନାଥ ମନ୍ଦିର ଗର୍ଭ ଗୃହ ମଧ୍ୟରୁ ଶ୍ରୀଜିଉଙ୍କର ମଥାମଣି ସହ ହୁଣ୍ଡିରୁ କିଛି ଟଙ୍କା ଚୋରି ହୋଇଯାଇଥିଲା। ଏନେଇ ସେତେବେଳେ ମନ୍ଦିର କମିଟି ତରଫରୁ ଏକ ମାମଲା ଅନୁଗୁଳ ଥାନାରେ କରାଯାଇଥିଲା। ଏହାର ତଦନ୍ତ କରି ଅନୁଗୁଳ ପୁଲିସ୍ ନୟାଗଡ଼ରୁ ସୋନପୁର ଅଞ୍ଚଳର ସୁଶାନ୍ତ କର୍ମୀକୁ ଗିରଫ କରିଥିଲା।