ମୁଖ୍ୟ ଖବର

ଅପହରଣ ଓ ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ

By Angul TV Bureau

June 23, 2025

ଅନୁଗୁଳ: ୨୦୨୧ ଅଗଷ୍ଟ ୯ରେ ଅନୁଗୁଳ ଥାନା ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ ଓ ପରେ ଦୁଷ୍କର୍ମ କରିଥିବା ଅଭିଯୋଗରେ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ। ଅତିରିକ୍ତ ଜିଲ୍ଲା ଆଡହକ ଏବଂ ସେସନ ଜଜ ତଥା ଫାଷ୍ଟ ଟ୍ରାକ କୋର୍ଟ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି।

ସୂଚନା ମୁତାବକ, ୨୦୨୧ ଅଗଷ୍ଟ ୯ରେ ଅନୁଗୁଳ ଥାନା ଅଞ୍ଚଳର ଜଣେ ନାବାଳିକା ଘରେ ଏକାକୀ ଥିବା ବେଳେ କିଶୋରନଗର ଥାନା ଅନ୍ତର୍ଗତ ତୁରୁଡ଼ା ଗ୍ରାମର ପ୍ରଜାରଞ୍ଜନ ରାଉଳ ଓରଫ ରାଜା ତାକୁ ଅପହରଣ କରିନେଇଥିଲା। ଗଲା ବେଳେ ସେ ନାବାଳିକାର ବ୍ୟାଙ୍କ ଆକାଉଣ୍ଟରୁ ୫ହଜାର ଟଙ୍କା ଏବଂ ଘରେ ଥିବା ୨ ଲକ୍ଷ ଟଙ୍କା ନେଇ ପଳାଇଥିଲା। ଏ ନେଇ ନାବାଳିକାର ପରିବାର ପକ୍ଷରୁ ସେତେବେଳେ ଅନୁଗୁଳ ଥାନାରେ ଲିଖିତ ଏତଲା ଦିଆଯାଇଥିଲା। ପୁଲିସ ତଦନ୍ତ କରି ଅଭିଯୁକ୍ତ ରାଜାକୁ ଗିରଫ କରିବା ସହ ନାବାଳିକାକୁ ଉଦ୍ଧାର କରିଥିଲା।

ଆଜି ଅତିରିକ୍ତ ଜିଲ୍ଲା ଆଡହକ ଏବଂ ସେସନ ଜଜ ତଥା ଫାଷ୍ଟ ଟ୍ରାକ କୋର୍ଟ ବିରଞ୍ଚି ନାରାୟଣ ମିଶ୍ର ଏହି କେଶର ଶୁଣାଣି କରି ୧୩ଜଣ ସାକ୍ଷୀ ପ୍ରମାଣ ଆଧାରରେ ଅଭିଯୁକ୍ତ ରାଜାକୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବାସହ ୨୫ହଜାର ଟଙ୍କା ଜୋରିମାନା ଆଦେଶ କରିଛନ୍ତି। ଜୋରିମାନା ଅନାଦେୟ ଅଧିକ ୬ମାସ ଜେଲ ଦଣ୍ଡ ଶୁଣାଣି କରିଛନ୍ତି। ତତ ସହିତ ପୀଡ଼ିତାକୁ ୫ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ଅର୍ଥ ରାଶି ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ପ୍ରଦୀପ କୁମାର ଭୂତିଆ ପରିଚାଳନା କରୁଥିଲେ।