ମୁଖ୍ୟ ଖବର

ଘରୁ ଟେକି ନେଇ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ

By Angul TV Bureau

March 18, 2025

ଅନୁଗୁଳ: ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ। ୨୦୧୯ ମସିହାର ଏକ ମାମଲାର ଶୁଣାଣି କରି ଅନୁଗୁଳ ଅତିରିକ୍ତ ଜିଲ୍ଲା ଏବଂ ସେସନ ଜଜ ଅଭିଯୁକ୍ତକୁ ଏହି ଦଣ୍ଡ ଦେଇଛନ୍ତି।

ସୂଚନା ମୁତାବକ, ୨୭. ୫. ୨୦୧୯ ରାତିରେ ଅନୁଗୁଳ ଥାନା ଅଞ୍ଚଳର ଜଣେ ନାବାଳିକା ପରିବାର ସହିତ ଘରେ ଶୋଇଥିଲେ। ରାତି ପ୍ରାୟ ୩ଟାରେ ନାବାଳିକାର ମା ଉଠି ଦେଖିଲା ବେଳକୁ ଘରେ ଝିଅ ନାହିଁ। ପରେ ପରିବାର ଲୋକେ ସାହି ପଡ଼ୋଶୀ ଘରେ ଖୋଜାଖୋଜି କରିଥିଲେ। କିନ୍ତୁ ଝିଅର ପତ୍ତା ପାଇନଥିଲେ।

ପର ଦିନ ପରିବାର ଲୋକେ ଜାଣିବାକୁ ପାଇଲେ ଯେ ତାଙ୍କ ଗ୍ରାମର ଉଦୟନାଥ ନାଏକ ଓରଫ ବିଶାଲ ତାଙ୍କ ଝିଅକୁ ମିଛ ସତ କହି ଅପହରଣ କରିନେଇଛି। ଏନେଇ ୨୯. ୫. ୨୦୧୯ଦିନ ପରିବାର ପକ୍ଷରୁ ଅନୁଗୁଳ ଥାନାରେ ଲିଖିତ ଏତଲା ଦିଆଯାଇଥିଲା।

ଏତଲା ଆଧାରରେ ଅନୁଗୁଳ ଥାନା ପୋଲିସ ଦଫା ୩୬୩, ୩୬୬, ୩୮୬ (୩) ଏବଂ ପୋକସୋ ଆକ୍ଟରେ ମାମଲା ରୁଜୁ କରି ଅଭିଯୁକ୍ତ ଉଦୟ ନାଥ ନାଏକକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ନାବାଳିକାକୁ ଉଦ୍ଧାର କରିଥିଲେ।ଏହି ମାମଲାରେ ଆଜି ଅତିରିକ୍ତ ଜିଲ୍ଲା ଓ ସେସନ ଜଜ ବିରଞ୍ଚିନାରାୟଣ ମିଶ୍ର ଶୁଣାଣି କରି ୨୧ଜଣ ସାକ୍ଷୀ ପ୍ରମାଣ ଆଧାରରେ ଉଦୟନାଥ ନାଏକକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦେୟ ଅଧିକ ୧ବର୍ଷ ଜେଲଦଣ୍ଡ ଶୁଣାଣି କରିଛନ୍ତି।ଏଥି ସହିତ ପୀଡ଼ିତାକୁ ୫ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସରକାରଙ୍କ ପକ୍ଷରୁ ସ୍ପେଶାଲ ପିପି ପ୍ରଦୀପ କୁମାର ଭୂତିଆ ମାମଲା ପରିଚାଳନା କରୁଥିଲେ।