Law Judge Gavel And Legality Symbol

ମୁଖ୍ୟ ଖବର

ଧାର ଟଙ୍କା ମାଗିବାରୁ ତୀର ମାରି ହତ୍ୟା ଅଭିଯୋଗର ଶୁଣାଣି: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ

By Angul TV Bureau

January 05, 2023

ଅନୁଗୁଳ: ଧାର ଦେଇଥିବା ଟଙ୍କା ମାଗିବାରୁ ତୀର ମାରି ହତ୍ୟା ଅଭିଯୋଗର ଶୁଣାଣି କରିଛନ୍ତି ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରାଜଜ୍, ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।

ସୂଚନା ଅନୁଯାୟୀ, ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଓଗି ଗ୍ରାମର ପଞ୍ଚାନନ ପ୍ରଧାନ ତାଙ୍କ ପଡ଼ୋଶୀ ରାଜନ ପ୍ରଧାନଠାରୁ ୮୦ ଟଙ୍କା ଧାର ନେଇଥିଲେ। ଗତ ୨୦୧୬ ନଭେମ୍ବର ୧୫ ତାରିଖରେ ରାଜନ ଏହି ଟଙ୍କା ମାଗିଥିଲେ। ଛାଡ଼ଖାଇ ଥିବାରୁ ଭୋଜିଭାତ ପାଇଁ ସେ ଟଙ୍କା ମାଗିବାରୁ ପଞ୍ଚାନନ ରାଗି ଯାଇଥିଲେ। ଏହି ଘଟଣାକୁ ନେଇ ଉଭୟଙ୍କ ଭିତରେ ଯୁକ୍ତିତର୍କ ଓ ପାଟିତୁଣ୍ଡ ହୋଇଥିଲା। ଶେଷରେ ଉତକ୍ଷିପ୍ତ ହୋଇ ପଞ୍ଚାନନ ତୀର ମାରି ରାଜନଙ୍କୁ ହତ୍ୟା କରି ଫେରାର୍ ହୋଇଯାଇଥିଲେ। ଏନେଇ ରାଜନଙ୍କ ମା’ ରାଧା ପ୍ରଧାନଙ୍କ ଏତଲା ଆଧାରରେ ଜରପଡ଼ା ଥାନା ପୋଲିସ ୧୫୫/୧୬ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଅଭିଯୁକ୍ତ ପଞ୍ଚାନନ ପ୍ରଧାନକୁ ଗିରଫ କରି କୋର୍ଟଚାଲାଣ କରିଥିଲା।

ଏହି ମାମଲାରେ ସମସ୍ତ ସମୁଦାୟ ୧୩ ଜଣଙ୍କର ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଅଦାଲତ ଅଭିଯୁକ୍ତ ପଞ୍ଚାନନ ପ୍ରଧାନକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ସଶ୍ରମ କାରାଦଣ୍ଡ ଦେବା ସହ ୧୦ ହଜାର ଜରିମାନା କରିଛନ୍ତି। ଜରିମାନା ଅନାଦେୟ ତାକୁ ଆଉ ଅଧିକ ୧ ବର୍ଷ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟ ପ୍ରକାଶ ପାଇଛି। ଏହି ମାମଲାକୁ ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରୋସିକ୍ୟୁଟର ତାପସ ରଂଜନ ମିଶ୍ର ଓ ବିଶ୍ବଜିତ ବରାଳ ପରିଚାଳନା କରୁଥିଲେ।