Law Judge Gavel And Legality Symbol

ମୁଖ୍ୟ ଖବର

ଭାଇକୁ ଶାବଳରେ ପିଟି ହତ୍ୟା କରିଥିବା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

By Angul TV Bureau

January 16, 2023

ଅନୁଗୁଳ: ଭାଇକୁ ଶାବଳରେ ପିଟି ହତ୍ୟା କରିଥିବା ଅଭିଯୋଗରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଅଦାଲତ। ୬ ବର୍ଷ ତଳର ଏହି ହତ୍ୟାକାଣ୍ଡ ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଅଭିଯୁକ୍ତ ଅନୁଗୁଳ ସଦର ଥାନା କୁମୁରିସିଂହାର ରୋହିତ ନାଏକ(୪୬)କୁ ଦୋଷୀ ସାବ୍ୟସ୍ତ କରି ଏହି ଦଣ୍ଡ ଶୁଣାଇଛନ୍ତି। ଏହାସହିତ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ତାକୁ ଅତିରିକ୍ତ ବର୍ଷେ ଜେଲରେ ରହିବାକୁ ପଡ଼ିବ। ସୂଚନା ଅନୁସାରେ, ୬ ବର୍ଷ ତଳେ ଅନୁଗୁଳ ସଦର ଥାନା କୁମୁରିସିଂହା ଗାଁରେ ରୋହିତ ନାଏକ ଓ ତାଙ୍କ ସାନ ଭାଇ ରାଜେନ୍ଦ୍ର ନାଏକଙ୍କ ଭିତରେ ଜମିଜମା ବିବାଦ ଲାଗିଥିଲା। ୨୦୧୭ ମାର୍ଚ୍ଚ ୭ ରେ ଏହି ବିବାଦ ଉଗ୍ର ରୂପ ଧାରଣ କରିଥିଲା। ଭାଗ ହୋଇ ନ ଥିବା ପୈତୃକ ଜମିରେ ରୋହିତ ଘର କରିବାକୁ ନିଅଁ ଖୋଳୁଥିଲେ। ଏହାକୁ ବିରୋଧ କରିଥିଲେ ସାନ ଭାଇ ରାଜେନ୍ଦ୍ର। ଫଳରେ ରୋହିତ ରାଗିଯାଇ ସାନ ଭାଇ ରାଜେନ୍ଦ୍ରଙ୍କ ଛାତିକୁ ଏକ ଶାବଳରେ ପିଟି ଦେଇଥିଲେ। ଘଟଣାସ୍ଥଳରେ ହିଁ ସେ ରକ୍ତବାନ୍ତି କରି ପ୍ରାଣ ହରାଇଥିଲେ। ଏ ସଂପର୍କରେ ରାଜେନ୍ଦ୍ରଙ୍କ ପତ୍ନୀ ରଞ୍ଜୁବାଳା ଅନୁଗୁଳ ଟାଉନ୍ ଥାନାରେ ଏତଲା ଦେଇଥିଲେ। ଏହି ମାମଲାରେ ୧୮ ଜଣଙ୍କ ସାକ୍ଷ୍ୟ ଆଧାରରେ ଅଦାଲତ ଅଭିଯୁକ୍ତ ରୋହିତକୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ରାୟ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ତାପସ ରଂଜନ ମିଶ୍ର ଓ ବିଶ୍ବଜିତ ବରାଳ ମାମଲାର ପରିଚାଳନା କରୁଥିଲେ।