ମୁଖ୍ୟ ଖବର

ଓଡ଼ିଶୀ ନୃତ୍ୟରେ ‘ନୃତ୍ୟନିଳୟ’ର କୃତିତ୍ୱ: ସିସିଆରଟି ବୃତ୍ତି ପାଇଁ ମନୋନୀତ ହେଲେ ଦୁଇ ଛାତ୍ରୀ

By Angul TV Bureau

April 21, 2026

ଅନୁଗୁଳ: ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଅନୁଗୁଳର ପ୍ରତିଷ୍ଠିତ ଅନୁଷ୍ଠାନ ‘ନୃତ୍ୟନିଳୟ’ ପୁଣି ଏକ ଗୌରବ ଆଣିଦେଇଛି। ଭାରତ ସରକାରଙ୍କ ସାଂସ୍କୃତିକ ସଂସାଧନ ଓ ପ୍ରଶିକ୍ଷଣ କେନ୍ଦ୍ର (CCRT) ପକ୍ଷରୁ ପ୍ରଦତ୍ତ ପ୍ରତିଷ୍ଠିତ କନିଷ୍ଠ ବୃତ୍ତି (୨୦୨୫-୨୬) ପାଇଁ ଅନୁଷ୍ଠାନର ଦୁଇଜଣ ଛାତ୍ରୀ ମନୋନୀତ ହୋଇଛନ୍ତି।ମନୋନୀତ ପ୍ରଥମ ଛାତ୍ରୀ ହେଲେ କୁମାରୀ ସାବେରୀ ସଚିନ ଯାଦବ। ସେ ଭୁବନେଶ୍ୱର ଡିପିଏସର ଦଶମ ଶ୍ରେଣୀର ଛାତ୍ରୀ ଏବଂ ଆଇଏଏସ ଅଧିକାରୀ ସଚିନ ରାମଚନ୍ଦ୍ର ଯାଦବଙ୍କ କନ୍ୟା। ସେ ଶୈଶବରୁ ଗୁରୁ ସ୍ୱପ୍ନାରାଣୀ ସିହ୍ନାଙ୍କଠାରୁ ନୃତ୍ୟ ଶିକ୍ଷା ଗ୍ରହଣ କରି ବିଭିନ୍ନ ମଞ୍ଚରେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ସେହିପରି ଦ୍ୱିତୀୟ କୃତୀ ଛାତ୍ରୀ ହେଲେ ଶିମିଳିପଡ଼ାର ସ୍ନେହା ମାହାତୋ। ସୁନ୍ଦର ରଞ୍ଜନ ମାହାତୋଙ୍କ କନ୍ୟା ସ୍ନେହା, ଗୁରୁ ଅନିତା ସିଂଦେଓଙ୍କ ତତ୍ତ୍ୱାବଧାନରେ ପ୍ରଶିକ୍ଷଣ ନେଉଛନ୍ତି।

ଗୁରୁ ସ୍ୱପ୍ନାରାଣୀ ସିହ୍ନାଙ୍କ ପ୍ରତ୍ୟକ୍ଷ ଶିକ୍ଷାଦାନରେ ବିଗତ ବର୍ଷମାନଙ୍କରେ ଅନେକ ଛାତ୍ରଛାତ୍ରୀ ଜାତୀୟ ବୃତ୍ତି ଓ ଫେଲୋସିପ୍ ପାଇ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଛନ୍ତି। ଏହି ସଫଳତା ପାଇଁ ଅଭିଭାବକ ମହଲରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ଅନୁଷ୍ଠାନ ପକ୍ଷରୁ ସମସ୍ତଙ୍କୁ କୃତଜ୍ଞତା ଜଣାଯାଇଛି।