ମୁଖ୍ୟ ଖବର

ଏଣିକି ମନ ଇଚ୍ଛା କାଟିପାରିବେନି ତାଳଗଛ: ନିଜ ବାରିର ଗଛ କାଟିଲେ ବି କଡ଼ା କାର୍ଯ୍ୟାନୁଷ୍ଠାନ

By Angul TV Bureau

July 02, 2024

ଭୁବନେଶ୍ବର: ତାଳ ଗଛ କାଟିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଏଣିକି ମନ ଇଚ୍ଛା କାଟିପାରିବେନି ତାଳଗଛ। ସରକାରଙ୍କ ବିନା ଅନୁମତିରେ ନିଜ ବାରିର ତାଳ ଗଛ କାଟିଲେ ବି ହେବ କଡା କାର୍ଯ୍ୟାନୁଷ୍ଠାନ। ବନ ବିଭାଗର ବିନା ଅନୁମତିରେ ତାଳ ଗଛ କାଟିବା ଦଣ୍ଡନୀୟ ଅପରାଧ। ବଜ୍ରପାତ ଜନିତ ମୃତ୍ୟୁ ରୋକିବାକୁ କିଛି ଏମିତି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ପିସିସିଏଫ ଦେବୀଦତ୍ତ ବିଶ୍ବାଳ।

ପିସିସିଏଫଙ୍କ କହିବାନୁସାରେ, ପ୍ରତିବର୍ଷ ବର୍ଷା ଦିନେ ବଜ୍ରପାତରେ ବହୁ ଜୀବନ ଯାଉଛି, ଯାହାକୁ ରୋକିବା ପାଇଁ କିଛି ଏମିତି ନିଷ୍ପତ୍ତି ନେଇଛନ୍ତି ସରକାର। ପାରମ୍ପରିକ କଥାବସ୍ତୁ ଅନୁଯାୟୀ ବଜ୍ରପାତ ମୁଖ୍ୟତଃ ତାଳ ଓ ନଡିଆ ଗଛ ଭଳି ଡେଙ୍ଗା ଗଛ ଉପରେ ହୋଇଥାଏ। ପୂର୍ବରୁ ରାଜ୍ୟର ଗ୍ରାମାଞ୍ଚଳରେ ବହୁ ପରିମାଣର ତାଳଗଛ ଥିଲା। ଏହା ବଜ୍ରପାତଜନିତ ମୃତ୍ୟୁକୁ ରୋକିବାରେ ସହାୟକ ହେଉଥିଲା। ସହରୀକରଣ ଓ ଗାଁରେ ଛପର ଘର ନଥିବାରୁ ସମୟ କ୍ରମେ ଏହାକୁ ଆଉ ଲଗାଇବାକୁ କେହି ମନ ବଳାଉନାହାନ୍ତି। ତାଳ ଗଛ ଲୋପ ପାଇଯିବାରୁ ବଜ୍ରପାତ ସିଧା ଭୂମିରେ ପଡୁଛି। ଏଣୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ଏବେ ନୂଆ ସରକାର ଆସିବା ପରେ ସେହି ପାରମ୍ପରିକ ପଦ୍ଧତି ଦ୍ବାରା ହିଁ ବଜ୍ରପାତକୁ ରୋକିବାକୁ ନିଷ୍ପତ୍ତି ନିଆଯାଇଛି । ତେଣୁ ତାଳ ଗଛ କାଟିବା ଉପରେ କଟକଣା ଲଗାଇଛନ୍ତି ସରକାର।