ଅନୁଗୁଳ: ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗ ଓ ସାମାଜିକ ସଂଗଠନ “ସ୍ପନ୍ଦନ” ଆନୁକୂଲ୍ୟରେ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ସରସ୍ଵତୀ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମକୁ ଜିଲ୍ଲା ଅବକାରୀ ବିଭାଗର ଉପ-ଅଧୀକ୍ଷକ ଜ୍ଞାନ ରଞ୍ଜନ ପଣ୍ଡା ଉଦଘାଟନ କରି କହିଥିଲେ, ବର୍ତ୍ତମାନ ବିଭିନ୍ନ ପ୍ରକାର ନିଶାଦ୍ରବ୍ୟର ଅପବ୍ୟବହାର ବଢିଚାଲିଛି ଏବଂ ନିଶା ଦ୍ରବ୍ୟ ଚୋରା ଚାଲାଣ ହେବା ଦ୍ବାରା ସମାଜ ଦିନକୁ ଦିନ ସଙ୍କଟ ଆଡ଼କୁ ଗତି କରୁଛି। ଏଣୁ ଏଥିରୁ ନିବୃତ୍ତ ରହିବାକୁ ସେ ପରାମର୍ଶ ଦେଇଥିଲେ।
ପତଞ୍ଜଳି ଯୋଗ ସମିତିର ଅଧ୍ୟକ୍ଷ ଅଭୟ ରାୟ ବୈଠକରେ ଯୋଗ ଦେଇ ନିଶା ଦ୍ରବ୍ୟ ଠାରୁ ଆଜିର ଯୁବ ପିଢି ଦୂରରେ ରହିବାକୁ ଆହ୍ଵାନ ଦେବା ସହ ପାଠ, ଖେଳ ଓ ସମାଜ ସେବା ଉପରେ ଗୁରୁତ୍ବ ଦେବା ପାଇଁ ପରାମର୍ଶ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଅବକାରୀ ବିଭାଗ ନିରୀକ୍ଷଣ ରମ୍ଭା ବାଗ, ସାମାଜିକ ସୁରକ୍ଷା ଅଧିକାରୀ ଦିଗମ୍ବର ସିଂହ, ସରସ୍ବତୀ ବିଦ୍ୟା ମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡ.ସିଦ୍ଧନାଥ ସାହୁ, ସ୍ପନ୍ଦନର ସଦସ୍ୟ ବିଭୂପ୍ରସାଦ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।