ମୁଖ୍ୟ ଖବର

ଆଡହକ ସଭାପତିଙ୍କ ନିଲମ୍ବନ କ୍ଷମତା ନାହିଁ: ପ୍ରବୋଧ

By Biswaranjan Pattnaik

June 13, 2024

ଅନୁଗୁଳ: ବୁଧବାର ଅର୍ଥାତ ୧୨ ତାରିଖରେ କଂଗ୍ରେସ ଓବିସି ସେଲ ଅନୁଗୁଳ ଶାଖା ସଭାପତି ପ୍ରବୋଧ କୁମାର ସ୍ୱାଇଁଙ୍କୁ ଜିଲ୍ଲା ସଭାପତି ଅମ୍ବିକା ପ୍ରସାଦ ଭଟ୍ଟ ନିଲମ୍ବନ କରିବା ନେଇ ଚିଠି କରିବା ପରେ ଶ୍ରୀ ସ୍ୱାଇଁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଏକ ସାମ୍ବାଦିକ ସମ୍ମିଳନୀ ଡ଼କାଇ ଥିଲେ। ସେ ଏହି ସାମ୍ବାଦିକ ସମ୍ମିଳନୀରେ ସିଧାସଳଖ କଂଗ୍ରେସ ଜିଲ୍ଲା ସଭାପତିଙ୍କୁ ଟାର୍ଗେଟ କରିଥିଲେ। ସେ କହିଲେ ପିସିସି ନିର୍ବାଚନ ଭଳି ଘଡ଼ିସନ୍ଧି ସମୟରେ ଶ୍ରୀ ଭଟ୍ଟଙ୍କୁ କାମଚଳା ସଭାପତି ଦାୟିତ୍ୱ ଦେଇଥିଲେ।କୌଣସି ସଦସ୍ୟଙ୍କୁ ନିଲମ୍ବନ କରିବାର କ୍ଷମତା ତାଙ୍କର ନାହିଁ। ଜଣେ ଅଯୋଗ୍ୟ,ଅପାରଗ ବ୍ୟକ୍ତି ଦଳକୁ କେବେହେଲେ ଉପରକୁ ନେଇ ପାରିବ ନାହିଁ।

୨୦୧୯ ନିର୍ବାଚନରେ କଂଗ୍ରେସ ପ୍ରାୟ ୩୦ ହଜାର ଭୋଟ ହାତେଇ ଥିଲା। କିନ୍ତୁ ଚଳିତ ନିର୍ବାଚନରେ ସେ ଭୋଟ ଗଲା କୁଆଡେ ବୋଲି ଶ୍ରୀ ସ୍ୱାଇଁ ପ୍ରଶ୍ନ କରିଥିଲେ। ଦଳକୁ ବିକ୍ରି କରି ସେ ଟଙ୍କାରେ ନେତା ଅୟସ କଲେ ଅବସ୍ଥା କଣ ହୁଏ ତାହା ଏବେ ଲୋକ ଦେଖୁଛନ୍ତି। ଦଳର ଉନ୍ନତି ପାଇଁ ତୃଟି ବିଚ୍ୟୁତି କହିବାରେ ମୋର ସଙ୍କୋଚ ନାହିଁ ଏବଂ ମୁଁ ଏଥି ପାଇଁ ପ୍ରସ୍ତୁତ ଅଛି ବୋଲି ଶ୍ରୀ ସ୍ୱାଇଁ କହିଥିଲେ।ମୋ ପାଇଁ ଅନ୍ୟାୟ କରା ଯାଇଥିବାରୁ ଏବଂ ଦଳର ପ୍ରଦର୍ଶନ ନେଇ ମୁଁ ଇସ୍ତଫା ଦେଇ ସାରିଛି। ଏଣୁ ମୋତେ ଦିଆଯାଇଥିବା ଅଦରକାରୀ ଚିଠିକୁ ମୁଁ ସର୍ବ ସମ୍ମୁଖରେ ଚିରୁଛି କହି ନିଲମ୍ବନ ଚିଠିକୁ ଚିରି ଦେଇଥିଲେ।