ଅନ୍ୟାନ୍ୟ

ଆଦିବାସୀ ମାରଣ ନୀତିକୁ ବିରୋଧ, ତହସିଲ ଘେରିଲେ ଆଦିବାସୀ ସହର ସମାଜ

By Sanjeeb Biswal

December 16, 2023

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଆଦିବାସୀ ସହର ସମ୍ପ୍ରଦାୟ ପକ୍ଷରୁ ଆଦିବାସୀ ମାରଣ ନୀତି ବିରୋଧରେ ୭ ଦଫା ଦାବି ନେଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆଦିବାସୀ ସମ୍ପ୍ରଦାୟ ସହର ସମାଜର ସଭାପତି କାର୍ତ୍ତିକା ବୋଇତା ଓ ସମ୍ପାଦକ ଦିଲ୍ଲୀପ କୁମାର ଦେହୁରୀଙ୍କ ନେତୃତ୍ୱରେ ସମାଜର ପୁରୁଷ ଓ ମହିଳାମାନେ ହାତରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଶାନ୍ତିପୂର୍ଣ୍ଣ ଭାବେ ଦେବଗଡ଼ ଛକରୁ ଏକ ବିଶାଳ ଶୋଭାଯାତ୍ରାରେ ଆସି ଛେଣ୍ଡିପଦା ବଜାର ପରିକ୍ରମା କରିଥିଲେ। ଏ ଅବସରରେ ସେମାନେ ହାତରେ ପ୍ଲାକାର୍ଡ ଧରି ଆଦିବାସୀ ମର୍ନିଙ୍ଗ ନୀତି ଚଳିବ ନାହିଁ, ଆଦିବାସୀ ଜମି ହସ୍ତାନ୍ତର ପ୍ରକ୍ରିୟା ବନ୍ଦ କର ଆଦି ବିଭିନ୍ନ ନାରାବାଜି ଦେଇ ତହସିଲଦାରଙ୍କ କାର୍ଯ୍ୟଳୟ ନିକଟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ବିକ୍ଷୋଭରେ ରାଜ୍ୟ ସରକାରଙ୍କ ଦ୍ବାରା ଗତ ୧୪ ନଭେମ୍ବରରେ ସ୍ବତନ୍ତ୍ର କ୍ୟାବିନେଟ ଦ୍ବାରା ପାରିତ ଅନୁସୂଚିତ ଜନଜାତି ଜମି ହସ୍ତାନ୍ତର ପ୍ରକ୍ରିୟା ଅଧିନିୟମ ତୁରନ୍ତ ପ୍ରତ୍ୟାହାର କରାଯାଉ, ୧୯୫୬ ରେଗୁଲେସନ ୨ଆକ୍ଟକୁ ବଳବତ୍ତର ରଖିବା, ‘ସହର’ ଓ ‘ଶବର’ ସମସ୍ତେ ଅନୁସୂଚିତ ଜନଜାତି ସଂପ୍ରଦାୟର ବୋଲି ବିବେଚିତ କରାଯାଉ, ପିଲାଙ୍କ ଶିକ୍ଷା ଓ କର୍ମ ନିୟୋଜନ ନିମନ୍ତେ ଆବଶ୍ୟକୀୟ ଜାତିଗତ ପ୍ରମାଣ ପତ୍ର ତୁରନ୍ତ ପ୍ରଦାନ, ଅବିଳମ୍ବେ ସହକାରୀ ଶିକ୍ଷକ ବିଛେଇ ଗଡନାୟକଙ୍କ ନିଲମ୍ବନ ପ୍ରତ୍ୟାହାର, ୨୦୦୮ ଜଙ୍ଗଲ ଜମି ଅଧିକାର ନିୟମ ପ୍ରଣୟନ କରିବା ଆଦି ଦାବି ନେଇ ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ।

ବିକ୍ଷୋଭରେ କୋଷାଧ୍ୟକ୍ଷ ପ୍ୟାରୀମୋହନ ଦେହୁରୀ, ସହ ସମ୍ପାଦକ ବିଦେଶୀ ମାଝୀ, କୁମୁଦ ଚନ୍ଦ୍ର ବେହେରା, ଉପସଭାପତି ଅର୍ଜୁନ କୁମାର ଦେହୁରୀ, ଉପଦେଷ୍ଟା ବିଜୟ କୁମାର ଦେହୁରୀ, ସୁନନ୍ଦ ବୋଇତା, ଅଡିଟର ସଞ୍ଜୟ କୁମାର ବେହେରାଙ୍କ ସମେତ ପ୍ରାୟ ୧ ହଜାରରୁ ଊର୍ଦ୍ଧ୍ଵ ପୁରୁଷ ଓ ମହିଳା ଯୋଗ ଦେଇଥିଲେ।