ମୁଖ୍ୟ ଖବର

କାରଣ ନ ଦର୍ଶାଇ ୯୪ ଶ୍ରମିକକୁ ଛଟେଇ କରିଛି ଆଦିତ୍ୟ ବିର୍ଲା କମ୍ପାନୀ, ସମାଧାନ ନ କଲେ ଧାରଣା ଚେତାବନୀ

By Angul TV Bureau

June 21, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଭୁବନେଶ୍ୱରୀ କୋଇଲା ଖଣିରେ କୋଇଲା ଉତ୍ତୋଳନ କରୁଥିବା ୯୪ ଜଣ ଶ୍ରମିକଙ୍କୁ ଆଦିତ୍ୟ ବିର୍ଲା କମ୍ପାନୀ ବାଧ୍ୟତାମୂଳକ କାର୍ଯ୍ୟରୁ ହଟାଇ ଦେଇଛି। ଫଳରେ ସେମାନଙ୍କ ଜୀବନ ଜୀବିକା ବିପର୍ଯ୍ୟସ୍ତ ହୋଇପଡ଼ିଛି। ସେମାନଙ୍କ ସମସ୍ୟାର ଦୂରୀକରଣ ନ ହେଲେ ଆଦିତ୍ୟ ବିର୍ଲା କମ୍ପାନୀ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି କର୍ମଚାରୀ ଚେତାବନୀ ଦେଇଛନ୍ତି।

ଶ୍ରମିକଙ୍କ କହିବା ଅନୁଯାୟୀ, ୨୦୧୧ ମସିହାରୁ ଆମେ କମ୍ପାନୀରେ କାର୍ଯ୍ୟ କରିଆସୁଛୁ। କମ୍ପାନୀ ଭୁବନେଶ୍ୱରୀ କୋଇଲା ଖଣିରେ ୧୫ବର୍ଷ ପାଇଁ କୋଇଲା ଉତ୍ତୋଳନ ପାଇଁ କାର୍ଯ୍ୟ ପାଇଥିଲା। କିନ୍ତୁ ଆମେ ତାକୁ ୧୨ ବର୍ଷରେ କାର୍ଯ୍ୟ ସାରିଦେଇଥିଲୁ। ମାତ୍ର କମ୍ପାନୀ ଆମକୁ ବିନା କାରଣରେ ଚାକିରିରୁ ବାହାର କରିଦେଇଛି। କମ୍ପାନୀ ୫୮ ବର୍ଷ ପର୍ଯ୍ୟନ୍ତ ଚାକିରି ଦେବାକୁ କହି ଏବେ କାଢ଼ିଦେବାରୁ ଆମେ ୯୪ ଶ୍ରମିକଙ୍କ ପରିବାର ପ୍ରତିପୋଷଣରେ ସମସ୍ୟା ଭୋଗୁଛୁ। ତେବେ ଦାବି ପୂରଣ ନ ହେଲେ ଆଗକୁ ଧାରଣା ଦେବେ ବୋଲି ଶ୍ରମିକମାନେ ଚେତାବନୀ ଦେଇଛନ୍ତି।