ମୁଖ୍ୟ ଖବର

ନାବାଳିକା ବିବାହ ବନ୍ଦ କଲା ପ୍ରଶାସନ

By Sanjeeb Biswal

April 23, 2021

ଅନୁଗୁଳ: ଛେଣ୍ଡିପଦା ବ୍ଳକ୍ ତଥା ନିଶା ଶିଳ୍ପାଞ୍ଚଳ ଥାନାର ଝିଣ୍ଟିପାଳ ଗ୍ରାମରେ ଗୁରୁବାର ଏକ ନାବାଳିକା ବିବାହ ବନ୍ଦ୍ କରିବାରେ ସଫଳ ହୋଇଛି ପ୍ରଶାସନ। ଦୁଇ ଆଇସିଡିଏସ୍ ସୁପର୍‌ଭାଇଜର୍ ଗ୍ରାମରେ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାସୁଝା କରିଥିଲେ। ଆଇନ୍ ଉଲଂଘନର ପରିଣାମ ସମ୍ପର୍କରେ ସଚେତନ କରାଇବା ପରେ ନାବାଳିକାଙ୍କୁ ୧୮ ବର୍ଷ ପୂରିବା ପର୍ଯ୍ୟନ୍ତ ବିବାହ କରାଇବେ ନାହିଁ ବୋଲି ଉଭୟ ପକ୍ଷ ଚୁକ୍ତିନାମା କରିଥିବା ଜଣାପଡ଼ିଛି। ପ୍ରକାଶ ଯେ, ଝିଣ୍ଟିପାଳ ଗ୍ରାମର ଜଣେ ୧୭ ବର୍ଷ ୫ ମାସ ବୟସର ନାବାଳିକାଙ୍କର ନିକଟସ୍ଥ ବରପଦା ଗ୍ରାମରେ ଗୁରୁବାର ବିବାହ ସ୍ଥିର ହୋଇଥିଲା। ଏଥିଲାଗି ଉଭୟ ପକ୍ଷ ସ୍ଥାନୀୟ ଥାନାରୁ ଅନୁମତି ଆଣିଥିଲେ । ଜିଲ୍ଲାରେ ନାବାଳିବା ବିବାହ ରୋକିବାକୁ ଜିଲ୍ଲାପାଳ ଏହି ମର୍ମରେ ବାରମ୍ବାର ଚିଠି କରିଥିଲେ ହେଁ ଅନୁମତି ପୂର୍ବରୁ ନାବାଳିକାର ବୟସ ଯାଞ୍ଚ କରାଯାଇନଥିବା ଜଣାଯାଇଛି । ତେବେ କେହି ଜଣେ ନାବାଳିକା ବିବାହ ସମ୍ପର୍କରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ଆଜି ଫୋନ୍ କରି ସୂଚନା ଦେଇଥିଲେ । ଜିଲ୍ଲାପାଳ ଏହି ମର୍ମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରାଙ୍କୁ ଜଣାଇବା ପରେ ନାବାଳିକା ବିବାହ ରୋକିବାକୁ ସମନ୍ବିତ ଶିଶୁ ବିକାଶ ବିଭାଗ ତତ୍ପରତା ଦେଖାଇଥିଲା। ସ୍ଥାନୀୟ ଦୁଇ ସୁପରଭାଇଜର୍‌, ସ୍ଥାନୀୟ ସରପଞ୍ଚ ନାବାଳିକାଙ୍କ ଘରେ ପହଞ୍ଚି କନ୍ୟାଘର ଲୋକଙ୍କୁ ବୁଝାସୁଝା କରିଥିଲେ। ନିର୍ଦ୍ଧାରିତ ବୟସ ପୂର୍ବରୁ ବିବାହ କରିବା ଦ୍ଵାରା ସ୍ଵାସ୍ଥ୍ୟ ସମସ୍ୟାଠାରୁ ସରକାରୀ କଟକଣା ସମ୍ପର୍କରେ ଅବଗତ କରାଯାଇଥିଲା। ୧୮ ବର୍ଷ ପରେ ବାହାଘର ପାଇଁ ପରିବାର, ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ନାବାଳିକାଙ୍କ ସମେତ ତାଙ୍କ ବାପା-ମା ରାଜି ହୋଇଥିଲେ । ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀ ବିବାହ ବିଷୟରେ ଜାଣିପାରିନଥିଲେ ବୋଲି ପ୍ରକାଶ କରିବା ସହ ଏଣିକି ପ୍ରତ୍ୟେକ ଦିନ ଏ ନେଇ ଯାଞ୍ଚ କରିବେ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି ।