ମୁଖ୍ୟ ଖବର

ଧାନ ମଣ୍ଡି ପରିଚାଳନାକୁ ନେଇ ପ୍ରଶାସନର ତତ୍ପରତା: ଚାଷୀଙ୍କ ସୁବିଧା ଓ ସ୍ୱଚ୍ଛ ଧାନ ସଂଗ୍ରହ ଉପରେ ଗୁରୁତ୍ୱ

By Angul TV Bureau

November 26, 2026

ଅନୁଗୋଳ: ଆଗାମୀ ଖରିଫ ଧାନ ସଂଗ୍ରହ ଋତୁକୁ ଶୃଙ୍ଖଳିତ ଓ ସ୍ୱଚ୍ଛ ଢଙ୍ଗରେ ପରିଚାଳନା କରିବା ପାଇଁ ତାଳଚେର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ତାଳଚେର ନିୟନ୍ତ୍ରିତ ବଜାର କମିଟି (ଆରଏମ୍‌ସି)ର ତ୍ରୟମାସିକ ବୈଠକ ଅନୁଷ୍ଠିତ ହୋଇଛି।ଆରଏମ୍‌ସି ଅଧ୍ୟକ୍ଷ ତଥା ତାଳଚେର ଉପଜିଲ୍ଲାପାଳ ପ୍ରଜ୍ଞାନନ୍ଦ ଗିରିଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ କମିଟିର ଆର୍ଥିକ ସ୍ଥିତି, ରାଜସ୍ୱ ଆଦାୟ ଓ ଆଗାମୀ କାର୍ଯ୍ୟଯୋଜନା ସମ୍ପର୍କରେ ସମୀକ୍ଷା କରାଯାଇଥିଲା।

ବଜାର କମିଟିର ରାଜସ୍ୱ ବୃଦ୍ଧି ସହ ମଣ୍ଡିର ଭିତ୍ତିଭୂମି ବିକାଶ ଏବଂ ଚାଷୀ ଓ ବ୍ୟବସାୟୀଙ୍କୁ ଆବଶ୍ୟକ ସୁବିଧା ଯୋଗାଇବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ବିଶେଷକରି ଆଗାମୀ ଖରିଫ ଧାନ ସଂଗ୍ରହ ସମୟରେ ମଣ୍ଡିଗୁଡ଼ିକରେ ଚାଷୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ସେଥିପ୍ରତି ଧ୍ୟାନ ଦେବାକୁ ଉପଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଧାନ ସଂଗ୍ରହ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ଶୃଙ୍ଖଳା ବଜାୟ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା।