ଭୁବନେଶ୍ୱର: ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ରାଜ୍ୟରେ ବିଏଡ, ବି ଏଚ୍ ଏଡ୍ ଏବଂ ଏମ୍ ଏଡ୍ ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରବିବାର ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥର ପ୍ରବେଶିକା ପରୀକ୍ଷା ବାତିଲ୍ ହୋଇ ଯୋଗ୍ୟତା ପରୀକ୍ଷାର ମାର୍କ ଆଧାରରେ ନାମଲେଖା କରାଯିବ। ଇଚ୍ଛୁକ ପ୍ରାର୍ଥୀମାନେ ଆଜି ଅପରାହ୍ନ ୩ ଟାରୁ ଅଗଷ୍ଟ ୫ ତାରିଖ ରାତି ୧୧ ଟା ୪୫ ପର୍ଯ୍ୟନ୍ତ SAMS (ସାମ୍ସ) ପୋର୍ଟାଲ୍ www.samsodisha.gov.in ରେ ଲଗ୍ ଇନ୍ କରି ନିଜ ପସନ୍ଦର କଲେଜ୍ ପାଇଁ ଚଏସ୍ ଲକିଂ କରିପାରିବେ।
ବିଭାଗ ପକ୍ଷରୁ ଜାରି କାର୍ଯ୍ୟସୂଚୀ ଅନୁଯାୟୀ, ଅଗଷ୍ଟ ୧୧ ତାରିଖ ଅପରାହ୍ନ ୨ ଟାରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ଚୟନିତ ଛାତ୍ରଛାତ୍ରୀମାନେ ୧୧ ରୁ ୧୪ ଅଗଷ୍ଟ ମଧ୍ୟରେ ଫ୍ରିଜ୍ କିମ୍ବା ସ୍ଲାଇଡ୍ ଅପ୍ସନ୍ ବାଛିପାରିବେ। ୨୦ ଅଗଷ୍ଟ ପୂର୍ବାହ୍ନ ୧୧ ଟାରେ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବ। ଚଳିତ ବର୍ଷ ରାଜ୍ୟର ୩୧ ଟି ସରକାରୀ ଓ ଘରୋଇ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ମୋଟ ୨୮୦୦ଟି ସିଟ୍ ରହିଛି। ଅଗଷ୍ଟ ୨୫ ତାରିଖରୁ ସମସ୍ତ ମହାବିଦ୍ୟାଳୟରେ ପ୍ରଥମ ବର୍ଷ ଶ୍ରେଣୀ ଆରମ୍ଭ ହେବ ବୋଲି ବିଭାଗ ସୂତ୍ରରୁ ଜଣାପଡିଛି।