ମୁଖ୍ୟ ଖବର

ଚାନ୍ଦା ମାଗିଲେ ବନ୍ଧା ହେବେ, ଜବରଦସ୍ତି ପଇସା ମାଗିଲେ ୧୧୨ରେ କଲ୍ କରିବାକୁ ପରାମର୍ଶ

By Angul TV Bureau

August 26, 2025

ଅନୁଗୁଳ: ପୂଜା ପାଇଁ ଚାନ୍ଦା ଆଦାୟକୁ ନେଇ କଠୋର ହୋଇଛି ପୋଲିସ ପ୍ରଶାସନ। ବେଆଇନ ଚାନ୍ଦା ଆଦାୟ ବିରୋଧରେ ଅନୁଗୁଳ ଏସପି ରାହୁଲ ଜୈନ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବେଆଇନ ଚାନ୍ଦା ଆଦାୟ କ୍ଷେତ୍ରରେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିବାକୁ ଜିଲ୍ଲାର ସବୁ ଥାନା ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଏସପି। ଏହା ସହିତ ବେଆଇନ ଚାନ୍ଦା ଆଦାୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଗିରଫ କରି କୋର୍ଟ ଚାଲାଣ କରିବାକୁ ରାହୁଲ ଜୈନ୍ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କେହି ଜବରଦସ୍ତ ଚାନ୍ଦା ମାଗିଲେ ତୁରନ୍ତ ୧୧୨ରେ କଲ କରିବାକୁ କହିଛନ୍ତି।

ସେହିପରି ତାଳଚେରରେ ଶୃଙ୍ଖଳିତ ଗଣେଶ ପୂଜା ଲାଗି ଅନୁଗୁଳ ପୁଲିସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ପୂଜାରେ ବରିଷ୍ଠ ଡିଏସପି ଓ ଆଇଆଇସିଙ୍କ ସହ ୮-୧୦ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଏଥିସହ ଆଣ୍ଟି ସ୍ନାଚିଂ ଟିମ୍ ନିୟୋଜିତ କରାଯିବ। ସବୁ ପୂଜା ମଣ୍ଡପରେ ସିସିଟିଭି ଲାଗିବ। ଏଥର ଡିଜେକୁ ଅନୁମତି ଦିଆଯିବନାହିଁ। ଏଥିପାଇଁ ସବୁ ପୂଜା ମଣ୍ଡପକୁ ଏସଓପି ଜାରି କରାଯାଇଛି ବୋଲି ଏସପି କହିଛନ୍ତି।

ଏସପି କହିଛନ୍ତି, ପୂଜା ପୂର୍ବରୁ ଓଡ଼ିଶା ପୋଲିସର ଅପରେସନ ଗରୁଡ଼ ଜରିଆରେ ଅପରାଧ ନିରୋଧୀ କାର୍ଯ୍ୟକଳାପ ଅଂଶସ୍ୱରୂପ ୩୦୦ ଏନବିଡବ୍ଲ୍ୟୁ କାର୍ଯ୍ୟକାରୀ କରାଯାଇଛି। ବେଆଇନ ଅସ୍ତ୍ରଶସ୍ତ୍ର ଉପରେ ଚଢ଼ାଉ କରାଯାଇ ୧୧ଟି ଦେଶୀ ବନ୍ଧୁକ ସମେତ ୫ଟି ପିସ୍ତଲ ଓ ୧୦ଟି ଜୀବନ୍ତ ଗୁଳି ଜବତ କରାଯାଇଥିବା ବେଳେ ୧୬ ଜଣଙ୍କୁ ଗିରଫ କରାଯାଇଛି। ମଦ୍ୟପାନ କରି ଗାଡ଼ି ଚାଳନା କରୁଥିବା ୪୦୦ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯିବା ସହ ଗାଡ଼ି ଜବତ କରାଯାଇଛି। ବେଆଇନ ମଦ କାରବାର ଉପରେ ଚଢ଼ାଉ କରାଯାଇ ୧୩୫ଟି ମାମଲାରେ ଅଢ଼େଇ ହଜାରରୁ ଊର୍ଦ୍ଧ୍ବ ଲିଟର ମଦ ଜବତ ହୋଇଛି ବୋଲି ସୂଚନା ଦେଇଛନ୍ତି ଏସପି।