ମୁଖ୍ୟ ଖବର

ଆଦ୍ୟାଶା ଓଜେଏସ୍ ଟପର୍

By Angul TV Bureau

November 12, 2022

ଅନୁଗୁଳ: ଶୁକ୍ରବାର ପ୍ରକାଶିତ ଓଡ଼ିଶା ଜୁଡିସିଆଲ୍ ସର୍ଭିସ୍ (ଓଜେଏସ୍) ପରୀକ୍ଷାରେ ଓଡ଼ିଶା ଟପର୍ ହୋଇ ଅନୁଗୁଳ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ଅନୁଗୁଳ ମିଶ୍ରପଡ଼ାର ଆଦ୍ୟାଶା ମିଶ୍ର। ଓୟୁଏଟିର ପ୍ରଫେସର ପ୍ରଭାତ ରଞ୍ଜନ ମିଶ୍ର ଓ ମା’ ବିଜୟଲକ୍ଷ୍ମୀ ମିଶ୍ରଙ୍କ କନ୍ୟା ହେଉଛନ୍ତି ଆଦ୍ୟାଶା । ଆଦ୍ୟାଶା ତାଙ୍କ ସଫଳତାର ଶ୍ରେୟ ବାପା ଓ ମା’ଙ୍କୁ ଦେଇଛନ୍ତି। ତାଙ୍କ ପାଇଁ ବାପା ଓ ମା’ ବହୁତ ତ୍ୟାଗ କରିଛନ୍ତି। ସାଙ୍ଗମାନଙ୍କ ସହ ସମ୍ପର୍କୀୟମାନେ ବି ଏ ସଫଳତାରେ ଅନେକ ସହଯୋଗ କରିଛନ୍ତି। ଓଜେଏସ୍ ପରୀକ୍ଷା ପାଇଁ ସେ ଦୈନିକ ୬ ଘଣ୍ଟାରୁ ଅଧିକ ପରିଶ୍ରମ।କରୁଥିଲେ । ଆଦ୍ୟାଶାଙ୍କ ଘର ଅନୁଗୁଳ ମିଶ୍ରପଡ଼ାରେ ହୋଇଥିବା ବେଳେ ଦୀର୍ଘବର୍ଷ ହେଲା ସେ ଭୁବନେଶ୍ଵରର ଆଇଟିଇଆର୍ ସ୍କୋୟାରରେ ପରିବାର ସହ ରହି ଆସୁଛନ୍ତି ।

ୟୁନିଟ୍‌-୮ ଡିଏଭି ପବ୍ଲିକ୍ ସ୍କୁଲରେ ଯୁକ୍ତ ୨ ଶେଷ କରିଥିଲେ ଆଦ୍ୟାଶା। ଯୁକ୍ତ ଦୁଇ ବାଣିଜ୍ୟରେ ଟପର ହୋଇଥିଲେ। ପରେ ବାଣୀବିହାରରେ ଇଣ୍ଟିଗ୍ରେଡେଟ୍ ଲ’ରେ କୃତିତ୍ଵର ସହ ଉତ୍ତୀର୍ଣ୍ଣ ହେବା ପରେ ସୋଆ ବିଶ୍ଵବିଦ୍ୟାଳୟରୁ ଏଲ୍‌ଏଲ୍‌ଏମ୍ ପାସ୍ କରି ଓଜେଏସ୍ ପାଇଁ ପ୍ରସ୍ତୁତି ଚଳାଇଥିଲେ । ପ୍ରଥମ ପ୍ରୟାସରେ ସେ ଏହି ସଫଳତା ପାଇଛନ୍ତି। ଆଦ୍ୟାଶା କହିଛନ୍ତି, ଆଇନ୍ ଅଧ୍ୟୟନ କରିବା ସହଜ ନୁହେଁ। ଏଥିପାଇଁ ଧୈର୍ଯ୍ୟ ଦରକାର। ରାଜ୍ୟରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ଶୁଣିବା ପରେ ନିଜକୁ ବିଶ୍ଵାସ କରିପାରିନଥିଲି। ଦେଶର ଆଇନ୍ ସେବା ନେଇ ଜନସାଧାରଣ ସଚେତନ ନାହାନ୍ତି। ମହିଳାଙ୍କୁ ନ୍ୟାୟ ଦେବା ପାଇଁ ପ୍ରୟାସ କରିବି। ମହିଳାଙ୍କୁ ନ୍ୟାୟ ଦେଇପାରିଲେ ନିଜକୁ ଧନ୍ୟ ମନେକରିବି ବୋଲି ଆଦ୍ୟାଶା କହିଛନ୍ତି।