ମୁଖ୍ୟ ଖବର

୩୬ଘଣ୍ଟା ପରେ ଡେରଜାଙ୍ଗ ଡ୍ୟାମ୍‌ରେ ଭାସମାନ ଅବସ୍ଥାରେ ମିଳିଲା ବୁଡ଼ିଥିବା ଯୁବକଙ୍କ ମୃତଦେହ, ବ୍ୟବଚ୍ଛେଦ ପାଇଁ ପଠାଇଲା ପୋଲିସ

By Angul TV Bureau

August 09, 2022

ଅନୁଗୁଳ: ୩୬ ଘଣ୍ଟା ପରେ ମିଳିଲା ସ୍ଥାନୀୟ ଡେରଜାଙ୍ଗ ଜଳ ଭଣ୍ଡାରରେ ବୁଡ଼ି ଯାଇଥିବା ଯୁବକଙ୍କ ମୃତ ଦେହ। ଦୀର୍ଘ ସମୟ ଧରି ଓଡ୍ରାଫ ଓ ଅଗ୍ନିଶମ ବିଭାଗ ତାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ବିଫଳ ହୋଇଥିବା ବେଳେ ଆଜି ତାଙ୍କ ମୃତ ଦେହ ପାଣିରେ ଭାସୁଥିବା ଦେଖିବାକୁ ମିଳିଥିଲା। ଖବର ପାଇ ଅଗ୍ନିଶମ ବାହିନୀ ପାଣି ଭିତରୁ ମୃତଦେହ ଉଦ୍ଧାର କରିଛି। ପରେ ଜରପଡା ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

ମୃତ ଯୁବକଙ୍କ ନାଁ ବିଭାଂଶୁ ହୋତା ଓ ସେ ବାଙ୍ଗାଲୋରର ଏକ ଆଇଟି କମ୍ପାନୀରେ କାମ କରନ୍ତି। ବିଭାଂଶୁଙ୍କ ମା’ ପୁଷ୍ପାଞ୍ଜଳି ହୋତା ଡିପିଏସ୍ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାମ କରୁଥିବା ବେଳେ ବାପା ତ୍ରିନାଥ ଶଙ୍କର ହୋତା ହେଉଛନ୍ତି ନାଲକୋର ପୂର୍ବତନ ଡିଜିଏମ । ବିଭାଂଶୁ ଗତ ରବିବାର ଦିନ ଆଉ ୩ଜଣ ସାଙ୍ଗଙ୍କ ସହ ଡେରଜାଙ୍ଗ ଡ୍ୟାମକୁ ବନ୍ଧୁତ୍ୱ ଦିବସ ପାଳିବାକୁ ଆସିଥିଲେ। କିନ୍ତୁ ଅସାବଧାନତା ବଶତଃ ତାଙ୍କ ଗୋଡ଼ ଖସିଯିବାରୁ ସେ ଡ୍ୟାମରେ ବୁଡ଼ି ଯାଇଥିଲେ।