ମୁଖ୍ୟ ଖବର

ଡାକ୍ତରଙ୍କ ମୃତ୍ୟୁ ପରେ ଖଣି ବନ୍ଦ ଆନ୍ଦୋଳନ, ଥାନା ସମ୍ମୁଖରେ ଧାରଣା ଦେଲେ ତାଳଚେରବାସୀ

By Angul TV Bureau

December 02, 2022

ତାଳଚେର : ବିଚାରଧୀନ କଏଦୀ ଭାବେ ଜେଲରେ ଥିବା ବାଘୁଆବୋଲର ବରିଷ୍ଠ ଶିଶୁ ଚିକିତ୍ସକ ଡା. ପ୍ୟାରୀମୋହନ ପ୍ରଧାନଙ୍କ ମୃତ୍ୟୁ ପରେ ଅଶାନ୍ତ ହୋଇପଡ଼ିଛି ତାଳଚେର।

ଡାକ୍ତରଙ୍କ ମୃତ୍ୟୁକୁ ନେଇ ତାଳଚେରରେ ଉତ୍ତେଜନା ପ୍ରକାଶ ପାଇଛି। ଉପଯୁକ୍ତ ତଦନ୍ତ କରାନଯାଇ ଜଣେ ପ୍ରତିଷ୍ଠିତ ଡାକ୍ତରଙ୍କୁ ଅନ୍ୟାୟୋଚିତ ଭାବେ ଗିରଫ କରିବା ଫଳରେ ସେ ଚାପ ଗ୍ରସ୍ତ ହୋଇପଡ଼ିବା ତଥା ଜେଲରେ ତାଙ୍କୁ ଉପଯୁକ୍ତ ଚିକିତ୍ସା ସେବା ନମିଳିବା ଯୋଗୁ ତାଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି। ସେହିପରି ଡାକ୍ତରଙ୍କ ମୃତ୍ୟକୁ ନେଇ ବିଭିନ୍ନ କୋଇଲାଖଣିରେ ବନ୍ଦ ଆନ୍ଦୋଳନ କରାଯାଇଛି । ଯେଉଁଥିପାଇଁ କୋଇଲା ଉତ୍ପାଦନ ଓ ପରିବହନ ମଧ୍ୟ ବାଧାପ୍ରାପ୍ତ ହୋଇଛି। ତେବେ ଆନ୍ଦୋଳନ ଯୋଗୁଁ ଶବ ବ୍ୟବଚ୍ଛେଦ କାର୍ଯ୍ୟ ମଧ୍ୟ ବିଳମ୍ବ ହୋଇଥିବା ଜଣାଯାଇଛି ।

ପ୍ରକାଶ, ସ୍ୱର୍ଗତ ପ୍ରଧାନ ବାଘୁଆବୋଲସ୍ଥିତ ତାଙ୍କ କ୍ଲିନିକରେ ରୋଗୀ ଦେଖିବା ବେଳେ ଜଣେ ନାବାଳିକାଙ୍କୁ ଅସଦାଚରଣ କରିବା ଅଭିଯୋଗ ହୋଇଥିଲା। ଏହାପରେ ତାଳଚେର ପୋଲିସ ତାଙ୍କୁ ପକ୍ସୋ ଆକ୍ଟରେ ଗିରଫ କରି କୋର୍ଟଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହୋଇଯିବା ପରେ ତାଙ୍କୁ ଅନୁଗୁଳ ଜେଲକୁ ପଠାଇ ଦିଆଯାଇଥିଲା।