ମୁଖ୍ୟ ଖବର

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଉଚ୍ଛେଦ ହେଲା ମା’ ମଙ୍ଗଳା ମନ୍ଦିର: ଅକସ୍ମାତ ଅଚେତ ହୋଇଗଲେ ବୁଲଡୋଜର ଡ୍ରାଇଭର

By Angul TV Bureau

December 22, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା କାଣ୍ଡସର ଗ୍ରାମ ମହୁଲିବୁରୀ ସାହିରେ ଥିବା ମଙ୍ଗଳା ମନ୍ଦିର ଆଜି ଉଚ୍ଛେଦ ହୋଇଛି। ବଅଁରପାଳ ତହସିଲଦାର୍, ନାଲକୋ ଥାନା ଅଧିକାରୀଙ୍କ ସହ ୩ ପ୍ଲାଟୁନ ପୋଲିସ ଫୋର୍ସଙ୍କ ଉପସ୍ଥିତିରେ ପ୍ରଥମେ ଠାକୁରଙ୍କୁ ଅନୁଗୁଳ ମା’ ବୁଢ଼ୀ ଠାକୁରାଣୀ ମନ୍ଦିରଙ୍କୁ ନିଆଯାଇଥିଲା। ପରେ ମନ୍ଦିର ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। କିନ୍ତୁ ପ୍ରଥମେ ମନ୍ଦିର ଭାଙ୍ଗିବା ବେଳକୁ ଆଶ୍ଚର୍ଯ୍ୟଜନକ ଭାବେ ବୁଲ ଡ୍ରୋଜର ଡ୍ରାଇଭର ଅଚେତ ହୋଇପଡିଥିଲେ। ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ହସ୍ପିଟାଲକୁ ନିଆଯାଇଥିଲା। ଏହା ପରେ ଆଉ ଗୋଟିଏ ବୁଲଡୋଜର ଆସି ମନ୍ଦିର ଭାଙ୍ଗିଥିବା ଜଣାଯାଇଛି।

ସୂଚନା ମୁତାବକ, ମଙ୍ଗଳା ମନ୍ଦିରକୁ ଉଚ୍ଛେଦ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏଣୁ ଉଚ୍ଛେଦ ପାଇଁ ଅଫିସରମାନେ ଆସିଥିଲେ। କିନ୍ତୁ ମନ୍ଦିର ସେହି ସ୍ଥାନରେ ରହିବା ସପକ୍ଷରେ ଗ୍ରାମବାସୀ ଅଡି ବସିବା ସହ ହରିବୋଲ ଓ ହୁଳହୁଳି ପକାଇଥିଲେ। ତଥାପି ବୁଲଡୋଜର ଡ୍ରାଇଭର ମନ୍ଦିର ଭାଙ୍ଗିବାକୁ ଉଦ୍ୟତ ହୁଅନ୍ତେ, ହଠାତ ଅଚେତ ହୋଇଯାଇଥିଲେ। ପରେ ଆଉ ଏକ ବୁଲଡୋଜର ଆସି ମନ୍ଦିର ଭାଙ୍ଗିଥିଲା।

ଗ୍ରାମବାସୀଙ୍କ କହିବାନୁସାରେ, ଏହି ମନ୍ଦିରଟି ଉକ୍ତ ସ୍ଥାନରେ ପ୍ରାୟ ୫୦ ବର୍ଷ ହେଲା ରହିଛି। ମନ୍ଦିରକୁ ଲାଗି ରହିଥିବା ପ୍ଲଟ ନମ୍ବର ୬୨୫୩ ନମ୍ବର ଜାଗାକୁ ରାମଚନ୍ଦ୍ର ସାହୁ କିଣି ଥିଲେ। ସେଠାରେ ମନ୍ଦିର ଓ ଏକ ଅସ୍ଥାୟୀ ଘର ରହିଥିବାରୁ କାରଣରୁ ପ୍ରଥମ ଦିନରୁ ବିରୋଧ କରି ଆସୁଥିଲେ। ଏନେଇ ଗ୍ରାମବାସୀ ଓ ରାମଚନ୍ଦ୍ର ସାହୁ ଉଭୟ ଉଚ୍ଚ ନ୍ୟାୟାଳୟର ଦ୍ଵାରସ୍ଥ ହୋଇଥିଲେ। କିନ୍ତୁ ଉଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି ରାମଚନ୍ଦ୍ର ସାହୁଙ୍କ ସପକ୍ଷରେ ଆସିବାରୁ ଆଜି ମଙ୍ଗଳା ମନ୍ଦିର ଉଚ୍ଛେଦ ହୋଇଛି।