ଛେଣ୍ଡିପଦା: ଅନୁଗୁଳ ଜିଲ୍ଲାର ବାଗଡିଆ ସେବା ସମବାୟ ସମିତିରେ ୟୁରିଆ ସାର ଅଭାବ ନେଇ ତୀବ୍ର ଉତ୍ତେଜନା ଦେଖାଦେଇଛି। ସକାଳୁ ଶହଶହ ଚାଷୀ ଆଧାର କାର୍ଡ ସହ ଲାଇନରେ ଅପେକ୍ଷା କରିଥିଲେ, କିନ୍ତୁ ୭୦୦ ବସ୍ତା ସାର ଆସିଥିବା ବେଳେ ୧୫୦୦ରୁ ଅଧିକ ଚାଷୀ ରୁଣ୍ଡ ହୋଇଥିଲେ। ପ୍ରବଳ ବର୍ଷାରେ ଭିଜି ମଧ୍ୟ ଚାଷୀମାନେ ୧୦ ଘଣ୍ଟା ଧରି ଅପେକ୍ଷା କରିଥିଲେ। ପୋଲିସ ଉପସ୍ଥିତିରେ ସାର ବିକ୍ରି ସମୟରେ ଅନିୟମିତତା ଅଭିଯୋଗ ହେବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା। ବାଗଡିଆ ଥାନା ଅଧିକାରୀ ବୁଝାସୁଝା କରିଥିଲେ ମଧ୍ୟ ଚାଷୀମାନେ ଅସନ୍ତୋଷ ପ୍ରକାଶ କରି ସମିତିରେ ତାଲା ପକାଇ ସାର ବିକ୍ରି ବନ୍ଦ କରିଦେଇଥିଲେ।