ମୁଖ୍ୟ ଖବର

ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ସଂପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଏଆଇଡିଏସଓ ର ବିକ୍ଷୋଭ

By Angul TV Bureau

June 19, 2026

ଅନୁଗୋଳ: ଜାତୀୟ ଶିକ୍ଷାନୀତି-୨୦୨୦ ଆଧାରରେ ପ୍ରସ୍ତୁତ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ସଂପୂର୍ଣ୍ଣ ପ୍ରତ୍ୟାହାର ଦାବିରେ  ଏଆଇଡିଏସଓ ଅନୁଗୋଳ ଜିଲ୍ଲା କମିଟି ପକ୍ଷରୁ ରାଜା ଛକ ଠାରେ ବିକ୍ଷୋଭ ସହ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି। ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରକାଶନରେ ସମ୍ପୃକ୍ତ ଅଧିକାରୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା ଓ NEP-2020କୁ ସଂପୂର୍ଣ୍ଣ ବାତିଲ କରିବାକୁ ସଂଗଠନ ଦାବି କରିଛି।

ଏହି ବିକ୍ଷୋଭରେ ଜିଲ୍ଲା ସମ୍ପାଦକ ନାରାୟଣ ନାୟକ, ଉପସଭାପତି ସରୋଜିନି ବେହେରା, ସଂଗଠିକା ନିରୁପମା ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସଂଗଠନ ଅଭିଯୋଗ କରିଛି ଯେ, NEP-2020 ଆଧାରରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରସ୍ତୁତ ପାଠ୍ୟପୁସ୍ତକରେ ୧୭୦୦ରୁ ଅଧିକ ତଥ୍ୟଗତ ଭୁଲ ରହିଛି। କେବଳ ସେତିକି ନୁହେଁ, ପାଠ୍ୟକ୍ରମରେ ଅନେକ ଅବୈଜ୍ଞାନିକ, ଅଯୌକ୍ତିକ ଓ ମନଗଢ଼ା କାହାଣୀ ଭର୍ତ୍ତି କରାଯାଇ ପାଠ୍ୟକ୍ରମର ମୌଳିକ ଭିତ୍ତି ବଦଳାଯାଇଛି। ସଂଗଠନ ଅନୁଯାୟୀ, NEP-2020 ଲାଗୁ କରି ସରକାରୀ ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ କରିବା, ବିଜ୍ଞାନସମ୍ମତ ଶିକ୍ଷାଠାରୁ ଭବିଷ୍ୟତ ପିଢ଼ିକୁ ଦୂରେଇ ରଖିବା ଓ ଶିକ୍ଷାର ଘରୋଇକରଣ-ବ୍ୟବସାୟୀକରଣ ପାଇଁ ଏହା ଏକ ସୁଦୂରପ୍ରସାରୀ ଷଡଯନ୍ତ୍ର। ଶିକ୍ଷା ଧ୍ୱଂସକାରୀ NEP-2020 ବାତିଲ ପାଇଁ ସାରା ରାଜ୍ୟରେ ବ୍ୟାପକ ଗଣ ଆନ୍ଦୋଳନ ଗଢିତୋଳିବାକୁ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷାବିତ୍, ବୁଦ୍ଧିଜୀବୀ ଓ ଅଭିଭାବକଙ୍କୁ ସଂଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଛି।