ମୁଖ୍ୟ ଖବର

ନାରୀ ନିର୍ଯାତନା ଓ ଟେଟ୍ରାପ୍ୟାକ୍ ମଦ ବିରୋଧରେ ଗର୍ଜିଲେ ମହିଳା, ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ

By Angul TV Bureau

March 10, 2026

ଅନୁଗୁଳ : ଅନୁଗୁଳ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଆଜି ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଙ୍ଗଠନ (AIMSS) ପକ୍ଷରୁ ଏକ ବିଶାଳ ମହିଳା ବିକ୍ଷୋଭ ଅନୁଷ୍ଠିତ ହୋଇଛି। କ୍ରମବର୍ଦ୍ଧମାନ ନାରୀ ଓ ଶିଶୁ ନିର୍ଯାତନା ବନ୍ଦ କରିବା, ଟେଟ୍ରାପ୍ୟାକ ମଦ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ଏବଂ ଜସ୍ମିନ୍ ସେଠ୍ ଓ ରୂପାଲି ନାଏକ ହତ୍ୟାକାଣ୍ଡର ଅପରାଧୀଙ୍କୁ କଠୋର ଦଣ୍ଡ ପ୍ରଦାନ ଦାବିରେ ଶତାଧିକ ମହିଳା ସ୍ଥାନୀୟ ଗୋପବନ୍ଧୁ ପାର୍କରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ। ସଙ୍ଗଠନର ଜିଲ୍ଲା ସମ୍ପାଦିକା ମାନସୀ ସ୍ଵାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭ ସଭାରେ ରାଜ୍ୟ ସମ୍ପାଦିକା ସରୋଜିନୀ ନାୟକଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଯୋଗଦେଇ ସରକାରଙ୍କ ନାରୀ ସୁରକ୍ଷା ନୀତିକୁ କଡ଼ା ସମାଲୋଚନା କରିଥିଲେ।

ଏହି ଅବସରରେ ମହିଳାମାନେ ଆଶା, ଅଙ୍ଗନବାଡ଼ି ଓ ପାଚିକାମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ, ଲକ୍ଷ୍ମୀ ବସ ଭଡ଼ା ବୃଦ୍ଧି ପ୍ରତ୍ୟାହାର ଏବଂ ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କୁ ଆତ୍ମରକ୍ଷା ପାଇଁ ଜୁଡୋ-କରାଟେ ଶିକ୍ଷା ଦେବା ଭଳି ୧୩ ଦଫା ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ। ଅନ୍ୟପଟେ, କଣିହାଁ ବ୍ଲକର ନାବାଳିକା ରୂପାଲି ନାଏକଙ୍କ ମୃତ୍ୟୁ ଘଟଣାରେ ଉଚିତ ନ୍ୟାୟ ଦାବି କରି ଏକ ପ୍ରତିନିଧି ଦଳ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟି ଆଲୋଚନା କରିଥିଲେ। ତଦନ୍ତ ପ୍ରକ୍ରିୟା ଜାରି ରହିଛି ଏବଂ ଅପରାଧୀଙ୍କୁ କଠୋର ଦଣ୍ଡ ଦିଆଯିବ ବୋଲି ପୋଲିସ ପ୍ରଶାସନ ପକ୍ଷରୁ ସେମାନଙ୍କୁ ପ୍ରତିଶ୍ରୁତି ଦିଆଯାଇଛି।