ମୁଖ୍ୟ ଖବର

୩୦୦ ୟୁନିଟ୍ ମାଗଣା ଇଲେକ୍ଟ୍ରିକ ସହ ଅନ୍ୟ ୮ ଦଫା ଦାବି ନେଇ ଶକ୍ତିମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଲା ଏ.ଆଇ.ଇ.ସି.ଏ

By Angul TV Bureau

April 08, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅଲ୍ ଇଣ୍ଡିଆ ଇଲେକ୍ଟ୍ରିସିଟି କଞ୍ଜୁମର୍ସ ଆସୋସିଏସନ୍ (ଏ.ଆଇ.ଇ.ସି.ଏ.) ପକ୍ଷରୁ ସୋମବାର ରାଜ୍ୟ ଶକ୍ତିମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୮ ଦଫା ଦାବିପତ୍ର ସ୍ଥାନୀୟ ଟାଟା ପାୱାର ନିର୍ବାହୀ ଯନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି।

ଆସୋସିଏସନ କହିଛି, ବିଦ୍ୟୁତ ବିତରଣ କମ୍ପାନୀ ଟାଟା ପାୱାର ପକ୍ଷରୁ ଅତ୍ୟନ୍ତ ଅନ୍ୟାୟ ଓ ଅଗଣତାନ୍ତ୍ରିକ ଭାବରେ ବିଦ୍ୟୁତ ଉପଭୋକ୍ତାଙ୍କୁ ଶୋଷଣ ପାଇଁ ପ୍ରି-ପେଡ୍ ସ୍ମାର୍ଟ ମିଟର ବସାଇବା କାମ ଆରମ୍ଭ ହୋଇଛି। ବିଦ୍ୟୁତ୍ ସେବାର ଘରୋଇକରଣ ସମୟରେ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ୨୪ ଘଣ୍ଟିଆ ନିରବଚ୍ଛିନ୍ନ ଉନ୍ନତ ମାନର ବିଦ୍ୟୁତ ଯୋଗାଣ ପାଇଁ ସରକାର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏବେ ବି ଘନଘନ ବିଦ୍ୟୁତ୍ କାଟ, ଲୋଭୋଲ୍ଟେଜ ସମସ୍ୟାରେ ଜନସାଧାରଣ ଅତିଷ୍ଠ ହୋଇପଡୁଛନ୍ତି। ଏଣୁ ସେମାନେ ପ୍ରିପେଡ ସ୍ମାର୍ଟ ମିଟର ଲଗାଇବା ବନ୍ଦ, ବିଦ୍ୟୁତ ସଂଶୋଧନ ବିଲ-୨୦୨୨ ପ୍ରତ୍ୟାହାର, “ଟାଇମ ଅଫ ଡେ ତାରିଫ ଲାଗୁ କରି ଅଧିକ ବିଦ୍ୟୁତ ବ୍ୟବହୃତ ସମସ୍ତ (ପିକ ଆୱାର ) ପାଇଁ ଅଧିକ ବିଦ୍ୟୁତ ଶୁଳ୍କ ନିର୍ବାରଣ ପ୍ରସ୍ତାବ ବାତିଲ, ବିଦ୍ୟୁତ୍ ଶୁକ୍ଳ ଆଦାୟ ନାଁରେ ଉପଭୋକ୍ତାଙ୍କ ଉପରେ ଜୁଲମ ବନ୍ଦ, ସମସ୍ତ ଘରୋଇ ଉପଭୋକ୍ତାଙ୍କୁ ୩୦୦ ୟୁନିଟ୍ ଦେୟମୁକ୍ତ ବିଦ୍ୟୁତ ଯୋଗାଇବା, ଘନଘନ ବିଦ୍ୟୁତ କାଟ ଲୋ ଭୋଲଟେଜ ସମସ୍ୟାର ସମାଧାନ, ଟ୍ରାନ୍ସଫରମର ଅଚଳ ହେଲେ କିମ୍ବା ଟ୍ରାନ୍ସଫର୍ମର ପୋଡିଗଲେ ୨୪ଘଣ୍ଟା ମଧ୍ୟରେ ଏହାକୁ ସ୍ଵାଭାବିକ କରାଯିବା ଏବଂ ବିଦ୍ୟୁତ ସେବାର ଘରୋଇକରଣ ବନ୍ଦ କରିବା ଆଦି ୮ ଦଫା ଦାବି କରିଛନ୍ତି।

ଦାବି ପତ୍ର ପ୍ରଦାନ ବେଳେ ଅଲ୍ ଇଣ୍ଡିଆ ଇଲେକ୍ଟ୍ରିସିଟି କଞ୍ଜୁମର୍ସ ଆସୋସିଏସନ୍ ପକ୍ଷରୁ ସଞ୍ଜୟ ସାହୁ, ଜୟସେନ ମେହେର, ମାନସ ପାଳ ପ୍ରମୁଖ ଉପସ୍ଥିତ ଥିଲେ।