ମୁଖ୍ୟ ଖବର

ଜାମା ମସଜିଦ ଜାଗାକୁ ବେଆଇନ କିଣାବିକା କରିବା ଅଭିଯୋଗ, ଥାନାରେ ଏତଲା ଦେଲେ ମୁସଲିମ ସମ୍ପ୍ରଦାୟର ଲୋକ

By Angul TV Bureau

September 18, 2024

ଅନୁଗୁଳ: ଜାମା ମସଜିଦ ଲିଜ୍ ଜାଗାକୁ ବେଆଇନ କିଣାବିକା କରିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ଅନୁଗୁଳ ସହରର ମୁସଲିମ ସମ୍ପ୍ରଦାୟର ଲୋକ।

ତାଙ୍କ ଅଭିଯୋଗ ମୁତାବକ, ତାଙ୍କ କମିଟିର ଆଡମିନିଷ୍ଟେଟରଙ୍କ ଦେହାନ୍ତ ପରେ ଦୁଇ ବର୍ଷ ହେବ ସେକ ଅବଦୁଲା ଓ ଅକମଲ୍ ହୋସେନ୍ ନାମକ ଦୁଇ ଜଣ ବ୍ୟକ୍ତି ଆତ୍ମଘୋଷିତ ସଭାପତି ଏବଂ ସମ୍ପାଦକ କାର୍ଯ୍ୟ କରୁଥିଲେ। ସେମାନେ ଗତ ବର୍ଷ ଅକ୍ଟୋବର ୨୬ ତାରିଖରେ ଜାମା ମସଜିଦରେ ନୋଟିସ ଲଗାଇଥିଲେ ଯେ ଯଦି କାହାର କୌଣସି ଆପତ୍ତି ଅଭିଯୋଗ ଅଛି ତେବେ ୧୫ ଦିନ ଭିତରେ ଜଣାଇ ପାରିବେ। ଏନେଇ ଅନୁଗୁଳର ମୁସଲିମ ସମ୍ପ୍ରଦାୟର ଲୋକ ଗତବର୍ଷ ନଭେମ୍ବର ୬ ରେ ଓଡ଼ିଶା ଔକଫ ବୋର୍ଡରେ ଜଣାଇଥିଲେ। ସେତେବେଳେ ଔକଫ ବୋର୍ଡ ଏହି ଦୁଇ ଜଣଙ୍କୁ ଅନୁମୋଦନ ଦେଇନଥିଲେ।

ବର୍ତ୍ତମାନ ସେକ ଅବଦୁଲା ଓ ଅକମଲ୍ ହୋସେନ୍ ଅନ୍ୟ କିଛି ବ୍ୟକ୍ତିଙ୍କ ସହ ମିଶି ଜାମା ମସଜିଦରେ ଦାଦାଗିରି କରି ଚାନ୍ଦା, ଦୋକାନ ଗୃହ ବାବଦରେ ଭଡ଼ା, ଦୋକାନ ଗୃହ କିଣାବିକା, ଗାଡି ପାର୍କିଂ ବାବଦ ଟଙ୍କା, ଜାଗା ଲିଜ ଦେବା ଠାରୁ ଆରମ୍ଭ କରି ଜାଲ ଚୁକ୍ତିପତ୍ର ଦେଖାଇ ବିନା ରସିଦରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଛନ୍ତି। ଏ ନେଇ ବାରମ୍ଵାର ଔକଫ ବୋର୍ଡକୁ ଜଣାଇଲେ ମଧ୍ୟ ଔକଫ କମିଶନର କର୍ଣ୍ଣପାତ କରୁ ନାହାନ୍ତି। ଉକ୍ତ ବ୍ୟକ୍ତି ମାନେ ୪୦ ଲକ୍ଷ ଟଙ୍କା ହଡ଼ପ କରିଛନ୍ତି ଏବଂ ପରେ ଔକଫ ବୋର୍ଡ ମଧ୍ୟ ବିରୋଧ କରିଛନ୍ତି। ଏନେଇ ଅନୁଗୁଳର ମୁସଲିମ ଜନସାଧାରଣ ପୋଲିସଙ୍କୁ ଅଭିଯୋଗ କରି ତଦନ୍ତ କରି ଉଚିତ୍ ପଦକ୍ଷେପ ନେବାକୁ ଦାବି କରିଛନ୍ତ।

ଏନେଇ ସେକ ଅବଦୁଲା ଓ ଅକମଲ୍ ହୋସେନ୍ ଙ୍କୁ ପଚାରିବାରୁ ସେ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ।