ମୁଖ୍ୟ ଖବର

ନାବାଳିକାକୁ ଅପହରଣ କରି ବିବାହ କରିବା ଅଭିଯୋଗ, ଯୁବକ ଗିରଫ

By Angul TV Bureau

March 30, 2025

ଅନୁଗୁଳ: ନାବାଳିକାଙ୍କୁ ଘରୁ ଉଠାଇ ନେଇ ବିବାହ କରିବା ଅଭିଯୋଗରେ ହେମସୁରପଡ଼ାର ଜଣେ ଯୁବକଙ୍କୁ ଗିରଫ କରିଛି ଅନୁଗୁଳ ପୁଲିସ। ଗିରଫ ଯୁବକ ହେଲେ ସୋମନାଥ ବାରିକ(୨୧)।

ସୂଚନା ଅନୁସାରେ, ତୁରଙ୍ଗ ଅଞ୍ଚଳର ୧୬ ବର୍ଷୀୟା ଜଣେ ନାବାଳିକା ତାଙ୍କ ବଡ଼ ମା’ଙ୍କ ଘରେ ଶୋଇଥିଲା ବେଳେ ଗତ ୧୮ ତାରିଖରେ ତାଙ୍କୁ ଅପହରଣ କରାଯାଇଥିଲା। ଏ ନେଇ ଅନୁଗୁଳ ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା।

ତଦନ୍ତ ବେଳେ ପୁଲିସ ଜାଣିବାକୁ ପାଇଥିଲା ଯେ, ହେମସୁରପଡ଼ାର ସୋମନାଥ ତାଙ୍କୁ ଭଲ ପାଉଥିଲା। ଏଣୁ ବିବାହ କରିବାକୁ ତାଙ୍କୁ ଅପହରଣ କରିଛି। ସୋମନାଥ ନାବାଳିକାଙ୍କୁ ‌ନେଇ ପ୍ରଥମେ ଭୁବନେଶ୍ବର ଯାଇଥିଲା। ସେଠାରୁ ବଇଣ୍ଡା ଫେରି ତାଙ୍କର ଜଣେ ସଂପର୍କୀୟଙ୍କ ଘରେ ରଖିଥିଲା। ତା’ ପରେ ନାବାଳିକାଙ୍କୁ ଏକ ମନ୍ଦିରରେ ବିବାହ କରିଥିଲା ଅଭିଯୁକ୍ତ। ବିବାହ ପରେ ସେମାନେ ପତି-ପତ୍ନୀ ପରି ସହର ଉପକଣ୍ଠ ଭଣ୍ଡୁବର ନିକଟରେ ରହୁଥିଲେ। ସେ ନାବାଳିକା ସହ ଏକାଧିକ ଥର ଶାରୀରିକ ସଂପର୍କ ମଧ୍ୟ ରଖିଥିବା ଜଣାପଡ଼ିଛି। ଖବର ପାଇ ପୁଲିସ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି।