ପାଳଲହଡ଼ା : ଅନୁଗୁଳ ଜିଲ୍ଲା ପାଳଲହଡ଼ା ଅଞ୍ଚଳରେ ଘରୋଇ ବସରେ ଯାତ୍ରା କରୁଥିବା ନର୍ସିଙ୍ଗ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ। ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଅସଦାଚରଣ କରିଥିବା ଯୁବକ ମାନେ ହେଲେ ପାଳଲହଡା ଡାକ୍ତରଖାନାର ଡାଇଲସିସ ସେଣ୍ଟରରେ ନିୟୋଜିତ ଥିବା କର୍ମଚାରୀ ଦେବେନ୍ଦ୍ର ଦାସ, ପାଳଲହଡା ଅଞ୍ଚଳର ଅଜୟ କୁମାର ସେଠୀ ଓ ତାଙ୍କ ସହଯୋଗୀ ବିକାଶ କୁମାର ସେଠୀ।
ସୂଚନା ମୁତାବକ, ବୁଧବାର ରାତି ୧୦ ଟାରେ ପାଳଲହଡ଼ା ଘରୋଇ ବସଷ୍ଟାଣ୍ଡ ଠାରେ ଅନୁଗୁଳରୁ ରାଉରକେଲା ଯାଉଥିବା ଲକ୍ଷ୍ମୀ ନାମକ ଘରୋଇ ବସ ରାତ୍ରି ଭୋଜନ ପାଇଁ କିଛି ସମୟ ଅଟକି ଥିଲା। ସବୁ ଯାତ୍ରୀ ବସରୁ ଓହ୍ଲାଇ ଯାଇଥିବା ବେଳେ କିଛି ମହିଳା ଯାତ୍ରୀ ବସିଥିଲେ। ବସରେ ଛେଣ୍ଡିପଦା ବାଗଡ଼ିଆ ଅଞ୍ଚଳରୁ ରାଉରକେଲା ଯାଉଥିବା ଜଣେ ନର୍ସିଙ୍ଗ ଛାତ୍ରୀ ମଧ୍ୟ ବସିଥିଲେ। ତେବେ ପାଳଲହଡା ବସଷ୍ଟାଣ୍ଡରେ ଆବଶ୍ୟକତା ଅନୁସାରେ ଲାଇଟ ଜଳୁ ନଥିବାରୁ ଅନ୍ଧାରର ସୁଯୋଗ ନେଇ ପାଳଲହଡା ଅଞ୍ଚଳର ଦୁଇ ଯୁବକ ଓ ତାଙ୍କ ସହଯୋଗୀ ଡାକ୍ତରଖାନା ଅଧୀନରେ ଥିବା ଡାଇଲସିସ ସେଣ୍ଟରର ଜଣେ କର୍ମଚାରୀ ମଦ୍ୟ ପାନ କରି ବସ ଭିତରକୁ ଯାଇ ସେହି ନର୍ସିଙ୍ଗ ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ। ଛାତ୍ରୀଜଣକ ପାଟି କରିଥିଲେ।
ବସ ଡ୍ରାଇଭର ଧୀରେନ କୁମାର ମହାକୁଡ଼ ଏହାକୁ ବିରୋଧ କରିଥିଲେ, ହେଲେ ତାଙ୍କୁ ମଧ୍ୟ ତିନି ଜଣ ମଦ୍ୟପ ମାଡ ମାରିଥିଲେ। ପରେ ନର୍ସିଙ୍ଗ ଛାତ୍ରୀଙ୍କ ପାଖରେ ବସିଥିବା ଜଣେ ମହିଳା ତାଙ୍କ ସମ୍ପର୍କୀୟ ପୋଲିସ ଅଧିକାରୀଙ୍କୁ ଜଣାଇବା ପରେ ସେ ପାଳଲହଡା ଥାନାକୁ ତୁରନ୍ତ ଫୋନ କରି ଜଣାଇ ଥିଲେ। ପାଳଲହଡା ପୋଲିସ ତୁରନ୍ତ ବସ ଷ୍ଟାଣ୍ଡକୁ ଆସି ଉକ୍ତ ୩ ଯୁବକଙ୍କୁ ଘଟଣାସ୍ଥଳରୁ ହିଁ କାବୁ କରି ନେଇଥିଲେ। ପରେ ଉକ୍ତ ଯୁବତୀ ଓ ଡ୍ରାଇଭର ଲିଖିତ ଭାବେ ଅଭିଯୋଗ କରିଥିଲେ। ଆଜି ଡାକ୍ତରୀ ପରୀକ୍ଷା ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାଯାଇଛି।