ଅନୁଗୋଳ: ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗଡ଼ସନ୍ତ୍ରୀ ପଞ୍ଚାୟତର ଏକ ସରକାରୀ ଉପ୍ରା ବିଦ୍ୟାଳୟରେ ଦୁଇ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାରେ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ସତ୍ୟପ୍ରକାଶ ମାଝୀଙ୍କୁ ପୁଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି।
ସୂଚନା ଅନୁଯାୟୀ, ବୁଧବାର ଅପରାହ୍ନରେ ସତ୍ୟପ୍ରକାଶ ବିଦ୍ୟାଳୟକୁ ଆସି ଛାତ୍ରୀଙ୍କ ଶ୍ରେଣୀଗୃହରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଶିକ୍ଷକ ଦୁର୍ଯ୍ୟୋଧନ ନାଏକ ତାଙ୍କୁ ଅଟକାଇ ପଚରାଉଚରା କରିଥିଲେ। ତେବେ ସେ ଶ୍ରେଣୀଗୃହରେ ପ୍ରବେଶ କରି ଦୁଇ ଛାତ୍ରୀଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।
ଶିକ୍ଷକ ଜଣକ ତାଙ୍କୁ ଅଟକାଇବାକୁ ଉଦ୍ୟମ କରିବାରୁ ସେ ଧକ୍କା ଦେଇ ଖସିଯିବାକୁ ଚେଷ୍ଟା କରିଥିଲେ। ତେବେ ବିଦ୍ୟାଳୟ ବାହାରେ ଥିବା ଲୋକମାନେ ତାଙ୍କୁ ଅଟକାଇଥିଲେ। ଘଟଣା ସମ୍ପର୍କରେ ଛାତ୍ରୀଙ୍କ ଅଭିଭାବକ ଜାଣିବା ପରେ ବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ପ୍ରଧାନଶିକ୍ଷକ ବଅଁରପାଳ ଥାନା ଅଧିକାରୀ ଅୟସକାନ୍ତ ଜେନାଙ୍କୁ ସୂଚନା ଦେବା ପରେ ପୁଲିସ ବିଦ୍ୟାଳୟରେ ପହଞ୍ଚି ଅଭିଯୁକ୍ତଙ୍କୁ ଥାନାକୁ ନେଇଥିଲା। ଘଟଣାର ତଦନ୍ତ ଜାରି ରହିଛି।