ଅନୁଗୋଳ: ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠାରୁ ୨୦ ହଜାର ଟଙ୍କା ଧାର ନେଇ ତିନି ବର୍ଷ ଧରି ଫେରସ୍ତ କରୁନଥିବା ଅଭିଯୋଗ ହୋଇଛି। ନ୍ୟାୟ ଆଶାରେ ପ୍ରହ୍ଲାଦ ବେହେରା ଥାନାର ଦ୍ୱାରସ୍ଥ ହୋଇଛନ୍ତି।ପ୍ରହ୍ଲାଦଙ୍କ ଅଭିଯୋଗ ଅନୁଯାୟୀ, ବସଲା ଗ୍ରାମ ପଞ୍ଚାୟତର ବିଜେଡି ସଭାପତି ଅଶୋକ ପାତ୍ର ପ୍ରାୟ ତିନି ବର୍ଷ ପୂର୍ବେ ତାଙ୍କଠାରୁ ୨୦ ହଜାର ଟଙ୍କା ଧାର ନେଇଥିଲେ। ୧୦ ଦିନ ମଧ୍ୟରେ ଟଙ୍କା ଫେରାଇବାକୁ କହିଥିଲେ ମଧ୍ୟ ଏଯାଏଁ ଫେରସ୍ତ କରିନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
ପରିବାର ପ୍ରତିପୋଷଣ ପାଇଁ ଟେମ୍ପୋ ଚଳାଉଥିବା ପ୍ରହ୍ଲାଦ ନିଜ କଷ୍ଟ ଉପାର୍ଜିତ ଟଙ୍କା ଫେରିପାଇବାକୁ ବାରମ୍ବାର ଅନୁରୋଧ କରିଥିଲେ। ହେଲେ ଫୋନ୍ ଗ୍ରହଣ ନକରିବା ସହ ଟଙ୍କା ମାଗିବାକୁ ଗଲେ ରାଜନୈତିକ ପ୍ରଭାବ ଦେଖାଯାଉଥିବା ସେ କହିଛନ୍ତି। ପଞ୍ଚାୟତରେ ଅଭିଯୋଗ କରି ମଧ୍ୟ ସମାଧାନ ନହେବାରୁ ଶେଷରେ ସେ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ତଦନ୍ତ କରି ନ୍ୟାୟ ପ୍ରଦାନ କରିବାକୁ ପ୍ରହ୍ଲାଦ ଆଶା ରଖିଛନ୍ତି।