ମୁଖ୍ୟ ଖବର

ଦଶହରା ଦିନ ୧୪ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଥାନାରେ ମାମଲା

By Angul TV Bureau

October 23, 2026

ଅନୁଗୋଳ: ଅନୁଗୋଳ ଜିଲ୍ଲା ବାଗଡ଼ିଆ ଥାନା ଅଞ୍ଚଳରେ ଜଣେ ୧୪ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାରେ ସେହି ଗାଁର ଜଣେ ୧୯ ବର୍ଷୀୟ ଯୁବକଙ୍କ ବିରୋଧରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ପୁଲିସ ଏନେଇ କେସ୍‌ ନମ୍ବର ୩୪୯/୨୬ରେ ମାମଲା ରୁଜୁ କରିଛି।

ଅଭିଯୋଗ ଅନୁଯାୟୀ, ଗତ ତିନିଦିନ ତଳେ ଦଶହରା ଉତ୍ସବରେ ଗାଁ ଚଳଚଞ୍ଚଳ ଥିବା ସମୟରେ ଦିନ ପ୍ରାୟ ୨ଟାରେ ନାବାଳିକା ଘରେ ଏକୁଟିଆ ଥିଲେ। ଏହି ସୁଯୋଗରେ ଅଭିଯୁକ୍ତ ଯୁବକ ଘରେ ପଶି ତାଙ୍କୁ ବାନ୍ଧି ଦୁଷ୍କର୍ମ କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

ପରିବାର ଲୋକେ ଘରକୁ ଫେରିବା ପରେ ନାବାଳିକାଙ୍କଠାରୁ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏହାପରେ ସେମାନେ ଅଭିଯୁକ୍ତଙ୍କ ଘରକୁ ଯାଇ ତାଙ୍କ ପରିବାରକୁ ଘଟଣା ବିଷୟରେ ଜଣାଇଥିଲେ। ତେବେ ସେଠାରେ ଅଭିଯୁକ୍ତଙ୍କ ପରିବାର ପକ୍ଷରୁ ଗାଳିଗୁଲଜ ଓ ଧମକ ମିଳିଥିବା ଅଭିଯୋଗ ହୋଇଛି।

ଏହାପରେ ପୀଡ଼ିତାଙ୍କ ପରିବାର ଦୁଇଦିନ ତଳେ ବାଗଡ଼ିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ନାବାଳିକା ଅସୁସ୍ଥ ଥିବାରୁ ତାଙ୍କର ବୟାନ ରେକର୍ଡ କରାଯାଇପାରିନାହିଁ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ଘଟଣାର ତଦନ୍ତ ଜାରି ରହିଛି।