ପାଳଲହଡ଼ା : ଆଜି ପାଳଲହଡ଼ା ବ୍ଲକ ଡିମିରିଆ ପଞ୍ଚାୟତରେ ଭତ୍ତା ବଣ୍ଟନକୁ ନେଇ ମହିଳା କନିଷ୍ଠ ଯନ୍ତ୍ରୀ ହିତାଧିକାରୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ ଓ ବାଡ଼ିଧରି ପିଟିବା ପାଇଁ ଗୋଡ଼ାଇଥିଲେ। ଏହାକୁ ପ୍ରତିବାଦ କରି ହିତାଧିକାରୀ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିଥିଲେ।
ସୂଚନା ମୁତାବକ, ଆଜି ଡିମିରିଆ ପଞ୍ଚାୟତ କାର୍ଯ୍ୟାଳୟରେ ଭତ୍ତା ବଣ୍ଟନ ହେଉଥିଲା। ଏଣୁ ପଞ୍ଚାୟତର ବହୁ ଦୂରଦୂରାନ୍ତରୁ ୪୬୪ ଜଣ ବୃଦ୍ଧବୃଦ୍ଧା ଓ ବିକଳାଙ୍ଗ ଭତ୍ତା ପାଇବା ପାଇଁ ଆଜି କାର୍ଯ୍ୟାଳୟକୁ ଆସିଥିଲେ। କିନ୍ତୁ ଭତ୍ତା ବଣ୍ଟନ ଦାୟିତ୍ୱରେ ଥିବା ମହିଳା କନିଷ୍ଠ ଯନ୍ତ୍ରୀ ମୌସୁମୀ ମାଳିନୀ ଧର ଭତ୍ତା ବଣ୍ଟନ କରୁଥିବା ସମୟରେ ବାରମ୍ବାର ଫୋନରେ କଥା ହେଉଥିବାରୁ ବଣ୍ଟନ ବାଧାପ୍ରାପ୍ତ ହୋଇଥିଲା। ଏ ନେଇ ଲୋକମାନେ ଅଭିଯୋଗ କରିବାରୁ ମହିଳା କନିଷ୍ଠ ଯନ୍ତ୍ରୀ ଉତ୍ତ୍ୟକ୍ତ ହୋଇ ପ୍ରଭାସୁଣୀର ଲକ୍ଷ୍ମୀ ସମାଡ଼ ଓ ଗାଙ୍ଗି ଜାମୁଡାଙ୍କୁ ଗାଳି ଦେବା ସହ ଖରାପ ବ୍ୟବହାର କରିଥିଲେ। ମୋ ଇଚ୍ଛାରେ ମୁଁ ପଇସା ଦେବି ଏବଂ ତମର ଅସୁବିଧା ହେଲେ ମୋର କଣ ଗଲା! ମୋ ଇଚ୍ଛାରେ ମୁଁ ପଇସା ଦେବି ବୋଲି ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହି ବାଉଁଶ ବାଡ଼ି ଧରି ପିଟିବାକୁ ଗୋଡ଼ାଇ ଗେଟ୍ ବାହାରକୁ ବାହାର କରିଦେଇଥିଲେ।
ଏହାକୁ ପ୍ରତିବାଦ କରି ହିତାଧିକାରୀଙ୍କ ସହ ଗ୍ରାମବାସୀ ପଞ୍ଚାୟତ କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ। ଏ ବାବଦରେ ପାଳଲହଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ବଡାଙ୍କୁ ପଚାରିବାରୁ ମହିଳା କନିଷ୍ଠ ଯନ୍ତ୍ରୀଙ୍କର ରକ୍ତଚାପ ରୋଗ ଅଛି ବୋଲି କହି ଦୋଷ ଘୋଡ଼ାଇବାକୁ ଚେଷ୍ଟା କରିଥିଲେ।