ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକ ପବିତ୍ରପୁର ପଞ୍ଚାୟତର ହରିପୁର ଗ୍ରାମରେ ମାଛ ଚାଷକୁ କେନ୍ଦ୍ର କରି ଏକ ବଡ଼ ଧରଣର ବିବାଦ ସାମ୍ନାକୁ ଆସିଛି। ଗ୍ରାମର ୬ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଆଜି ପାଳଲହଡ଼ା ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପଟେଲଙ୍କୁ ଭେଟି ମା’ ବୃନ୍ଦାବତୀ ମହିଳା ଗୋଷ୍ଠୀ ବିରୁଦ୍ଧରେ ଏକ ଲିଖିତ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ୨୦୨୪ ମସିହାରେ ହରିପୁର ଗ୍ରାମର ସମୁଦାୟ ୭ଟି ଗୋଷ୍ଠୀ ମିଳିତ ଭାବେ ଏକ ପୋଖରୀକୁ ମାଛ ଚାଷ ପାଇଁ ନିଲାମ ନେଇଥିଲେ। ସେ ସମୟରେ ନିଷ୍ପତ୍ତି ହୋଇଥିଲା ଯେ ସମସ୍ତ ଗୋଷ୍ଠୀ ମିଳିମିଶି କାମ କରିବେ ଏବଂ ସରକାରୀ ସବସିଡି ଟଙ୍କା ମା’ ବୃନ୍ଦାବତୀ ଗୋଷ୍ଠୀର ଆକାଉଣ୍ଟକୁ ଆସିବା ପରେ ତାହା ସମସ୍ତଙ୍କ ମଧ୍ୟରେ ସମାନ ଭାବେ ବଣ୍ଟନ କରାଯିବ। କିନ୍ତୁ ବର୍ତ୍ତମାନ ମା’ ବୃନ୍ଦାବତୀ ଗୋଷ୍ଠୀର ସଭାନେତ୍ରୀ ଓ ସମ୍ପାଦିକା ଅନ୍ୟ ୬ଟି ଗୋଷ୍ଠୀକୁ ସମ୍ପୂର୍ଣ୍ଣ ଅଣଦେଖା କରି ସମସ୍ତ ଅନୁଦାନ ଟଙ୍କା ହଡ଼ପ କରିବାକୁ ଯୋଜନା କରୁଥିବା ଅଭିଯୋଗ ହୋଇଛି।ଅଭିଯୋଗକାରୀ ମହିଳାମାନେ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ ମାଛ ବିଭାଗର କିଛି ଅଫିସର ଓ ଦଲାଲ ରାତିଅଧିଆ ମାଛ ଚାରା ଓ ଦାନା ପକାଇବାର ମିଥ୍ୟା ନାଟକ କରିଛନ୍ତି। ପ୍ରକୃତରେ ମାଛ ଦାନା ପକାଯାଉ ନଥିବା ବେଳେ ମିଥ୍ୟା GST ବିଲ୍ ପ୍ରସ୍ତୁତ କରି ସରକାରୀ ଅନୁଦାନ ଉଠାଇବାକୁ ଚେଷ୍ଟା କରାଯାଉଛି। ଏଣୁ ଏହି ନିଲାମ ପ୍ରକ୍ରିୟାକୁ ତୁରନ୍ତ ବନ୍ଦ କରିବା ସହ ମା’ ବୃନ୍ଦାବତୀ ଗୋଷ୍ଠୀକୁ ଦିଆଯାଇଥିବା ନିଲାମକୁ ରଦ୍ଦ କରିବା ପାଇଁ ସେମାନେ ଦାବି କରିଛନ୍ତି।
ଅନ୍ୟପଟେ ଏହି ଘଟଣା ସମ୍ପର୍କରେ ମାଛ ବିଭାଗର ଅଧିକାରୀ ଆକାଶ କୁମାର ନାଏକ କହିଛନ୍ତି ଯେ ଏପର୍ଯ୍ୟନ୍ତ କୌଣସି ଅନିୟମିତତା ହୋଇନାହିଁ ଏବଂ ମା’ ବୃନ୍ଦାବତୀ ଗୋଷ୍ଠୀକୁ ଏଯାବତ୍ ଟଙ୍କାଟିଏ ମଧ୍ୟ ପ୍ରଦାନ କରାଯାଇ ନାହିଁ। ସେହିପରି ମା’ ବୃନ୍ଦାବତୀ ଗୋଷ୍ଠୀର ସଭାନେତ୍ରୀ ପୁଷ୍ପାଞ୍ଜଳୀ ସାହୁ ସମସ୍ତ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି। ସେ କହିଛନ୍ତି ଯେ ସେମାନେ ନିଜ ହାତରୁ ଖର୍ଚ୍ଚ କରି ମାଛ ଯାଆଁଳ ଓ ଦାନା ଆଣିଛନ୍ତି ଏବଂ ସରକାରଙ୍କ ଠାରୁ କୌଣସି ଟଙ୍କା ପାଇନାହାନ୍ତି, ତେଣୁ ତାଙ୍କ ନାମରେ କରାଯାଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଅଟେ। ବର୍ତ୍ତମାନ ଏହି ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ପ୍ରଶାସନିକ ତଦନ୍ତର ଅପେକ୍ଷା ରହିଛି।