ଘଟଣା ଓ ଦୁର୍ଘଟଣା

ପୁଣି ଯୌତୁକ ନିଆଁରେ ଜଳିଗଲା ଆଉ ଏକ ଜୀବନ, ବଧୂହତ୍ୟା ନେଇ ଅଭିଯୋଗ କଲେ ଝିଅର ବାପଘର

By Angul TV Bureau

July 14, 2022

ଅନୁଗୁଳ: ବନ୍ତଳା ଥାନା ଲାଛବନ୍ଧରେ ଆଜି ଜଣେ ବଧୂକୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ପୁଲିସ ଅଭିଯୋଗ ପାଇବା ପରେ ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ମୁତାବକ, ଅନୁଗୁଳ ବ୍ଲକ ଖିଣ୍ଡା ଗ୍ରାମର ସରୋଜିନୀ ସାହୁଙ୍କ ସହିତ ଲାଛବନ୍ଧ ଗ୍ରାମର ଚୈତନ୍ୟ ସାହୁଙ୍କ ବିବାହ ୨ ବର୍ଷ ତଳେ ବୈଦିକ ରୀତିରେ ହୋଇଥିଲା। କିନ୍ତୁ ଏକ ମାସ ହେଲା ସରୋଜିନୀଙ୍କୁ ତାଙ୍କ ବାପଘରୁ ଯୌତୁକ ଆଣିବା ପାଇଁ ଶାଶୁଘର ଲୋକ ବାଧ୍ୟ କରୁଥିଲେ। ଅଧିକ ପାଟିତୁଣ୍ଡ ହେବା ପରେ ସରୋଜିନୀ ବାପଘର ଖିଣ୍ଡାରେ ରହୁଥିଲେ। ତେବେ ବହୁ ବୁଝାସୁଝା ପରେ ସେ ୪ ଦିନ ତଳେ ଶାଶୁଘରକୁ ଫେରିଥିଲେ। କିନ୍ତୁ ଆଜି ସକାଳେ ଘର ଭିତରୁ ତାଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ଯୌତୁକ ପାଇଁ ତାଙ୍କୁ ଶାଶୁଘର ଲୋକେ ହତ୍ୟା କରିଥିବା ନେଇ ଭିଣୋଇ ଚନ୍ଦ୍ରମଣି ଦେହୁରୀ ବନ୍ତଳା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ତେବେ ଏ ନେଇ ସରୋଜିନୀଙ୍କ ଶାଶୁଘର ଲୋକଙ୍କ ମତ ଏବେ ଯାଏଁ ମିଳିପାରିନାହିଁ।