ଅନ୍ୟାନ୍ୟ

ସରକାର ପରିବର୍ତ୍ତନ ପରେ ବି କମୁନି ବିଜେଡି ନେତାଙ୍କ ତାଉ! ହସ୍ପିଟାଲରେ ପୁନଃନିଯୁକ୍ତି ପାଇଁ ଠିକା କର୍ମଚାରୀଙ୍କଠାରୁ ଟଙ୍କା ଆଦାୟ କରୁଥିବା ଅଭିଯୋଗ

By Angul TV Bureau

May 06, 2025

ଅନୁଗୁଳ: ସରକାର ବଦଳିବା ପରେ ବି କମୁନି ବିଜେଡି କର୍ମୀଙ୍କ ଦବଦବା। ଚାକିରି ନବୀକରଣ ନାଁରେ ଏବେ ବି ନିରୀହ ଲୋକଙ୍କୁ ବିଜେଡି ନେତା ଲୁଟୁଛନ୍ତି। ଏଭଳି ସଂଗୀନ ଅଭିଯୋଗ ଆଣିଛି ପବିତ୍ର ମୋହନ ପ୍ରଧାନ ସରକାରୀ ଚିକିତ୍ସାଳୟ ଠିକା କର୍ମଚାରୀ ସଂଘ।

ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ସଭାପତି ସ୍ଵାଧୀନ ଥମ୍ବ କହିଛନ୍ତି, ତାଳଚେର ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଏବେ ଏମସିଏଲ ନେହରୁ ଶତାବ୍ଦୀ ହସ୍ପିଟାଲରେ ସାମୟିକ ଭାବେ ଚାଲୁଛି। ଏହି ହସ୍ପିଟାଲକୁ ପରିଚାଳନା ନିମନ୍ତେ ଏମସିଏଲ ପକ୍ଷରୁ ଆଟେଣ୍ଡାଣ୍ଡ ଓ ଅନ୍ୟାନ୍ୟ ପଦବୀ ପାଇଁ ଟେଣ୍ଡର ମାଧ୍ୟମରେ ନିଯୁକ୍ତ ପାଇଁ ଆହ୍ବାନ କରାଯାଇଥିଲା। ସେତେବେଳେ ଉର୍ମିଳା ଏଜେନ୍ସି ଏଲ୍୧ ହୋଇ ଟେଣ୍ଡର ପାଇଥିଲା। ଏହି ଏଜେନ୍ସି ଜରିଆରେ ପାଖାପାଖି ୫୦୦ ପିଲାଙ୍କୁ ତଥାକଥିତ ବିଜେଡି ନେତା ମନୋଜ ସାହୁ ଓ ଆଉ କିଛି ନେତାଙ୍କ ଜରିଆରେ ଅର୍ଥ ହେରଫେର କରି ନିଯୁକ୍ତି ପ୍ରଦାନ କରାଯାଇଥିଲା। ଏହି ଟେଣ୍ଡରର ଅବଧି ୨୦୨୩ ମସିହା ଠାରୁ ଆରମ୍ଭ ହୋଇ ୨୦୨୫ ପର୍ଯ୍ୟନ୍ତ ଥିଲା। ଏବେ ଅବଧି ପୂରଣ ହୋଇଛି।

ପୁନର୍ବାର ଏମସିଏଲ୍ ନୂତନ ଟେଣ୍ଡର ଆହ୍ବାନ କରିଥିବା ବେଳେ ଉର୍ମିଳା ଏଜେନ୍ସି ବଦଳରେ କମାଣ୍ଡ ସିକ୍ୟୁରିଟି ଏଜେନ୍ସି ଏଲ୧ ହୋଇ କାର୍ଯ୍ୟାଦେଶ ପାଇଛି। କିନ୍ତୁ କମାଣ୍ଡ ସିକ୍ୟୁରିଟି ଏଜେନସି ସିଧାସଳଖ ସେହି ପିଲାଙ୍କୁ ନେଇ କାମ କରିବା ବଦଳରେ ବିଜେଡି ନେତାଙ୍କୁ ଧରି କାମ କରୁଥିବା ପିଲାଙ୍କଠୁ ବିଭିନ୍ନ ପଦବୀ ପାଇଁ ଟଙ୍କା ଆଦାୟ କରୁଛନ୍ତି। କାର୍ଯ୍ୟରତ ଷ୍ଟାଫ ୩୫୦୦୦ ଟଙ୍କା ଠାରୁ ଆରମ୍ଭ କରି ଏକଲକ୍ଷ ପର୍ଯ୍ୟନ୍ତ ଟଙ୍କା ନଦେଲେ ପୁନଃ ନିଯୁକ୍ତି ମିଳିବ ନାହିଁ ବୋଲି କହି ଟଙ୍କା ଲୁଟୁଛନ୍ତି ବିଜେଡି କର୍ମୀ। ଏହାକୁ ସଂଘ ବିରୋଧ କରିବା ସହ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରାଯାଇଥିବା ସୂଚନା ଦେଇଛନ୍ତି। ଏଥିସହ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି ସେମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପୁଲିସ ଡିଜି, ଅନୁଗୁଳ ଏସପି, ଅନୁଗୁଳ ଓ ତାଳଚେର ଉପଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇ ସୁରକ୍ଷା ଲୋଡ଼ିଛନ୍ତି।

ତେବେ ଏନେଇ ଜିଲ୍ଲା ଯୁବ ସମ୍ପାଦକ ମନୋଜ ସାହୁଙ୍କୁ ଯୋଗାଯୋଗ କରିବାରୁ ତାଙ୍କର ଏଥିରେ କୌଣସି ସମ୍ପୃକ୍ତି ନଥିବା କହିଛନ୍ତି। ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ବଦନାମ କରିବାକୁ ଚକ୍ରାନ୍ତ କରାଯାଉଛି ବୋଲି ପାଲଟା ଅଭିଯୋଗ କରିଛନ୍ତି ଶ୍ରୀ ସାହୁ।