ଘଟଣା ଓ ଦୁର୍ଘଟଣା

ବେଆଇନ ଲୁହାପଥର ପରିବହନ ଅଭିଯୋଗ: ୧୬ ଚକିଆ ଟ୍ରକ ଜବତ, ଦୁଇ ଗିରଫ

By Angul TV Bureau

November 24, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଥାନା ପକ୍ଷରୁ ବେଆଇନ ଲୁହାପଥର ବୋଝେଇ ହୋଇଥିବା ୧୬ ଚକିଆ ଟ୍ରକ ଜବତ କରାଯାଇଛି। ଏଥିସହ ଗାଡ଼ି ଚାଳକ ଓ ସହାୟକକୁ ଗିରଫ କରିଛି ପୋଲିସ।

ସୂଚନା ଅନୁସାରେ, ଶନିବାର ପାଳଲହଡ଼ା ଥାନା ଏଏସଆଇ ଦୁଷ୍ମନ୍ତ ବାରିକ ନିଜ ସହକର୍ମୀଙ୍କ ସହିତ ପାଟ୍ରୋଲିଂ କରୁଥିବା ବେଳେ ସନ୍ଦେହରେ ୧୬ ଚକିଆ ଟ୍ରକ (AP-39-V-6489) କୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଗାଡ଼ିରେ ଲୁହାପଥର ଗୁଣ୍ଡ ବୋଝେଇ ହୋଇଥିବା ବେଳେ ଚାଳକ କୌଣସି କାଗଜପତ୍ର ଦେଖାଇ ପାରିନଥିଲେ। ପୋଲିସ ଚାପ ପକାଇବାରୁ କହିଥିଲେ, ଦେବଗଡ଼ ଜିଲ୍ଲା ବାରକୋଟ ଥାନା ପୁରୁଣାପାଣି ଠାରେ ଥିବା ଲୁହାପଥର କ୍ରସରର ମାଲିକ ତଥା ନିପୁରସିଂ ଟ୍ରାନ୍ସପୋର୍ଟର ରାମଜି ଓରଫ ରାମୁ ଏବଂ ଗାଡ଼ି ମାଲିକ ଦାନ୍ତା ହରିବାବୁ ଏହି ବେଆଇନ ଲୁହାପଥର ଚାଲାଣ କରୁଛନ୍ତି।

ପରେ ଚାଳକ ମଧୁ ଗଣେଶ ରାଓ (୫୧) ଏବଂ ସହାୟକ ଥୋତାଦା ରାମୁ (୩୮) ଙ୍କୁ ବେଆଇନ ଲୁହାପଥର ଚାଲାଣ ଅଭିଯୋଗରେ ପାଲଲହଡ଼ା ପୋଲିସ ଗିରଫ କରିଥିଲା।ଉଭୟ ଆନ୍ଧ୍ରପ୍ରଦେଶର ସିକାକୁଲମ ଜିଲ୍ଲାର ବାସିନ୍ଦା। ଟ୍ରକକୁ ଜବତ କରାଯାଇଛି ଏବଂ ଉଭୟ ଚାଳକ ଓ ସହାୟକକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ପାଳଲହଡ଼ା ଥାନା ଅଧିକାରୀ ପ୍ରଦୀପ କୁମାର ମହାନ୍ତ ସୂଚନା ଦେଇଛନ୍ତି।