ମୁଖ୍ୟ ଖବର

ଗାର୍ଡୱାଲ୍‌ ନିର୍ମାଣରେ ଅନିୟମିତତା ଅଭିଯୋଗ: ଉପଜିଲ୍ଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ, ଫାଙ୍କିଦେଲେ ଯନ୍ତ୍ରୀ

By Angul TV Bureau

April 17, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଜଳସେଚନ ବିଭାଗର ଗାର୍ଡୱାଲ୍‌ ନିର୍ମାଣରେ ଅନିୟମିତତା ହୋଇଥିବା ଅଭିଯୋଗ ଆସିଛି। ଏନେଇ ସ୍ଥାନୀୟ ଗାଁ ଲୋକ ଉପଜିଲ୍ଲାପାଳଙ୍କୁ ଫେରାଦ ହୋଇଛନ୍ତି।

ସୂଚନା ମୁତାବକ, ସ୍ଥାନୀୟ ଈଶ୍ୱରନଗର ଗାଁରେ ଜମିକୁ ଜଳସେଚନ ପାଇଁ ଥିବା କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଉନ୍ନତିକରଣ ପାଇଁ ଚାରି ଲକ୍ଷ ପଚାଶ ହଜାର ଟଙ୍କା ଅଟକଳ ଧାର୍ଯ୍ୟ ହୋଇ ଟେଣ୍ଡର ପ୍ରକ୍ରିୟାରେ କାର୍ଯ୍ୟାଦେଶ ହୋଇଥିଲା। ଗାର୍ଡୱାଲ କାମ ମଧ୍ୟ ଆରମ୍ଭ ହୋଇଥିଲା। ମାତ୍ର ଠିକାଦାର ନିମ୍ନମାନର କାର୍ଯ୍ୟ କରୁଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ଗାଁ ଲୋକଙ୍କ କହିବାନୁସାରେ, ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ତରବରିଆ କାମ କରାଯାଉଛି। ଜଳସେଚନ ବିଭାଗର ଯନ୍ତ୍ରୀ ପ୍ରଦୀପ କୁମାର ସେଠୀଙ୍କୁ ନିମ୍ନମାନର କାର୍ଯ୍ୟ ସମ୍ପର୍କରେ ଅବଗତ କରାଇ ଥିଲେ ମଧ୍ୟ ସେ ଶୁଣୁନାହାନ୍ତି। ଏଣୁ ବାଧ୍ୟ ହୋଇ ଗାଁ ଲୋକେ ପାଳଲହଡ଼ା ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।

ଅନ୍ୟପଟେ କନିଷ୍ଠ ଯନ୍ତ୍ରୀ ଶ୍ରୀ ସେଠୀ ଗାଁ ଲୋକଙ୍କ ଅଭିଯୋଗ ଭିତ୍ତିହୀନ ବୋଲି କହିବା ସହ ତାଙ୍କ ଉପସ୍ଥିତିରେ ଗାର୍ଡ ୱାଲ୍‌ କାମ ଠିକ୍‌ଠାକ ଚାଲିଛି ବୋଲି କହିଥିଲେ।