ମୁଖ୍ୟ ଖବର

ସାତକୋଶିଆ ବନଖଣ୍ଡରେ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ: ୧୨ ଅବସରପ୍ରାପ୍ତ କର୍ମଚାରୀଙ୍କ ନାଁରେ ଦୁଇଥର ଟଙ୍କା ଉଠାଣ, କୋଷାଗାର ଯାଞ୍ଚରୁ ଖୋଲିଲା ଗୁମର

By Angul TV Bureau

November 03, 2026

ଅନୁଗୋଳ: ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରେ ସରକାରୀ ଅର୍ଥ ହେରଫେରକୁ ନେଇ ବଡ଼ ଅଭିଯୋଗ ସାମ୍ନାକୁ ଆସିଛି। ଅବସରପ୍ରାପ୍ତ ବନ କର୍ମଚାରୀଙ୍କ ନାମରେ ଜାଲିଆତି କରି ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ କରାଯାଇଥିବା ଆଶଙ୍କା ରହିଛି। ଅବସରକାଳୀନ ବକେୟା ଅର୍ଥ ଓ ଅବ୍ୟବହୃତ ଛୁଟି ବାବଦ ଟଙ୍କା ଦୁଇଥର ବିଲ୍‌ କରାଯାଇଥିବା ଯାଞ୍ଚରୁ ଜଣାପଡ଼ିବା ପରେ ବନ ବିଭାଗରେ ଚର୍ଚ୍ଚା ଜୋର ଧରିଛି।

ସୂଚନା ଅନୁଯାୟୀ, ଗତବର୍ଷ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ କନିଷ୍ଠ କିରାଣିଙ୍କ ଅର୍ଥ ତୋଷରପାତ ଘଟଣା ପଦାକୁ ଆସିବା ପରେ ଜିଲ୍ଲା କୋଷାଗାର ପକ୍ଷରୁ ବିଭିନ୍ନ ସରକାରୀ ବିଭାଗର ଆର୍ଥିକ କାରବାର ଓ ଦସ୍ତାବିଜ୍‌ ଯାଞ୍ଚ ଆରମ୍ଭ ହୋଇଥିଲା। ଏହି ପ୍ରକ୍ରିୟାରେ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରେ ୧୨ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କ ନାମରେ ଦୁଇଥର ଲେଖାଏଁ ଏରିଅର୍‌ ଓ ଅବ୍ୟବହୃତ ଛୁଟି ବାବଦ ଅର୍ଥ ଉଠାଯାଇଥିବା ଜଣାପଡ଼ିଥିଲା।

ଜିଲ୍ଲା କୋଷାଗାର ଅଧିକାରୀ ଜୟନ୍ତୀ ବିଶ୍ୱାଳଙ୍କ ସୂଚନା ଅନୁସାରେ, ପ୍ରାଥମିକ ଯାଞ୍ଚରେ ସମ୍ପୃକ୍ତ କର୍ମଚାରୀଙ୍କ ନାମ ସମାନ ଥିଲେ ମଧ୍ୟ ଟଙ୍କା ଯାଇଥିବା ବ୍ୟାଙ୍କ ଖାତା ନମ୍ବର ଭିନ୍ନ ଥିବା ଦେଖିବାକୁ ମିଳିଛି। ଅବସର ସମୟରେ ବ୍ୟବହାର କରୁଥିବା ପୁରୁଣା ବ୍ୟାଙ୍କ ଖାତାକୁ ଥରେ ଟଙ୍କା ପଠାଯାଇଥିବା ବେଳେ ବର୍ଷେ କିମ୍ବା ଦୁଇ ବର୍ଷ ପରେ ସେହି କର୍ମଚାରୀଙ୍କ ନାମରେ ଥିବା ଅନ୍ୟ ଏକ ଖାତାକୁ ପୁନର୍ବାର ଅର୍ଥ ଦିଆଯାଇଛି। ଏହାକୁ ନେଇ ଅର୍ଥ ହେରଫେରର ସନ୍ଦେହ ଘନୀଭୂତ ହୋଇଛି।

ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି କୋଷାଗାର ଅଧିକାରୀ ଅନୁଗୋଳ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆର୍‌ସିସିଏଫ୍‌) ଓ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ)ଙ୍କୁ ଚିଠି ଲେଖି ଜଣାଇଛନ୍ତି। ଏଥିସହ ତିନିଟି କାର୍ଯ୍ୟଦିବସ ମଧ୍ୟରେ ବିଭାଗୀୟ ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଛି।

ତେବେ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଏହି କାରବାର ପଛରେ କାହାର ହାତ ରହିଛି ଏବଂ କେଉଁ ପ୍ରକ୍ରିୟାରେ ଅର୍ଥ ଉଠାଯାଇଛି, ତାହା ବିଭାଗୀୟ ତଦନ୍ତ ରିପୋର୍ଟ ପରେ ସ୍ପଷ୍ଟ ହେବ।