ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ପୁରୁଣାଗଡ଼ ଗାଁରେ ଜଣେ ମହିଳାଙ୍କୁ ଅସଦ୍ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନଯାୟୀ, ପୁରୁଣାଗଡ଼ ଗାଁର ଶ୍ରୀରାମ ଗଡ଼ନାୟକଙ୍କ ସ୍ତ୍ରୀ ଗୁଟିକା ଗଡ଼ନାୟକ ବୁଧବାର ଅପରାହ୍ନରେ ଘରେ ଥିବା ବେଳେ ହଠାତ୍ ବାଗେଡ଼ିଆ ଗାଁର ଦୀନେଶ ବିଶ୍ବାଳ ଅନ୍ୟ ୨ ଜଣ ସହଯୋଗୀଙ୍କ ସହ ଏକ ଭୁଜାଲୀ ଧରି ଘର ଭିତରକୁ ପଶିଗଲେ। ଗୁଟିକାଙ୍କୁ ପଚାରିଲେ ତୋ ପୁଅ କୁଆଡ଼େ ଗଲା। ମୁଁ ଜାଣି ନାହିଁ ବୋଲି ଗୁଟିକା କହିବାରୁ ଦୀନେଶ ଉତ୍କ୍ଷିପ୍ତ ହୋଇ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବାସହ ତାଙ୍କୁ ଟଣା ଓଟରା କରିଥିଲା। ଫଳରେ ଗୁଟିକାଙ୍କ ଶାଢ଼ୀ ଓ ବ୍ଲାଉଜ ଚିରି ଯାଇଥିଲା। ପାଟି ଶୁଣି ପାଖରେ ଥିବା ଗୁଟିକାଙ୍କ ୨ ଜାଆ ଆସି ଦୀନେଶଙ୍କଠାରୁ ଉଦ୍ଧାର କରିଥିଲେ। ଏହାପରେ ଦିନେଶ ଜୀବନରେ ମାରିଦେବାକୁ ଧମକ ଚମକ ଦେଇ ଚାଲିଯାଇଥିଲେ। ଏ ନେଇ ଗୁଟିକା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି।