ମୁଖ୍ୟ ଖବର

ମିରାନିଆ ତେଲ ଟାଙ୍କିରେ ଅପମିଶ୍ରଣ ଅଭିଯୋଗ

By Biswaranjan Pattnaik

August 30, 2022

ଅନୁଗୁଳ: ଗତ ସୋମବାର ରାତିରେ ଅନୁଗୁଳ ହରିମହୁରୀ ଛକରେ ଥିବା ମିରାନିଆ ତେଲ ଟାଙ୍କିରେ ଡିଜେଲ ଅପମିଶ୍ରଣ ହୋଇଥିବା ନେଇ ଅଭିଯୋଗ ହୋଇଛି। ପ୍ରଗତିନଗରର ବାସିନ୍ଦା ସୁରେଶ ମିଶ୍ର ରାତି ପ୍ରାୟ ସାଢ଼େ ଦଶଟା ସମୟରେ ଉକ୍ତ ତେଲ ଟାଙ୍କିରେ କାର୍ ପାଇଁ ଡିଜେଲ ପକାଇଲା ପରେ ଗାଡି ଷ୍ଟାର୍ଟ ହୋଇ ନଥିଲା। ସନ୍ଦେହରେ ଅଳ୍ପ ତେଲ କାଢି ଦେଖିବାରୁ ଏହାର ରଙ୍ଗ ଓ ଗନ୍ଧ ସାଧାରଣ ଡିଜେଲ ଠାରୁ ଅଲଗା ଦିଶୁଥିଲା। ଏଥିନେଇ ଉଭୟ ପକ୍ଷ ମଧ୍ୟରେ ବଚସା ହୋଇ ଉତ୍ତେଜନା ବଢି ଥିଲା। ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା।

ସୁରେଶ ମିଶ୍ର ଥାନାରେ ଡିଜେଲ ଅପମିଶ୍ରଣ ନେଇ ଅଭିଯୋଗ କରିଥିଲେ। ମଙ୍ଗଳବାର ସକାଳେ ଯୋଗାଣ ବିଭାଗ ଓ ଆଇଓସିଏଲର ଅଧିକାରୀ ଟାଙ୍କି ଡିଜେଲ ଠିକ ଥିବା ପରୀକ୍ଷା ପରେ କହିଥିଲେ। ଅନ୍ୟପକ୍ଷରେ କାରରୁ ସଂଗୃହିତ ଡିଜେଲ ଓ ପୂର୍ବ ରାତିର ସାମ୍ପୁଲ ଡିଜେଲ ଭିନ୍ନ ଥିବା ସେମାନେ ସ୍ୱୀକାର କରିଥିଲେ ମଧ୍ୟ ତାହା ଅଳ୍ପ ପରିମାଣର ଥିବାରୁ ଏତିକିରେ ପରୀକ୍ଷା ହୋଇ ପାରିବ ନାହିଁ ବୋଲି ଆଇଓସିଏଲ କର୍ତ୍ତୃପକ୍ଷ କହିଥିଲେ। ଏଘଟଣାକୁ ସୁରେଶ ନ୍ୟାୟାଳୟକୁ ନେବେ ବୋଲି କହିଛନ୍ତି। ଅନୁଗୁଳରେ କିଛି ତେଲ ଟାଙ୍କିରେ ଅପମିଶ୍ରଣ ନେଇ ବାରମ୍ବାର ଅଭିଯୋଗ ହେଉଛି। ଜିଲ୍ଲା ପ୍ରଶାସନ ଏ ସବୁ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି।