ମୁଖ୍ୟ ଖବର

ଟାୟାର ଓ ଗାଡି ଚୋରି ଅଭିଯୋଗ: ଚୋରି ଜିନିଷ ସହ ୭ ଯୁବକ ଅଟକ

By Angul TV Bureau

October 12, 2025

ବଅଁରପାଳ: ଝାରସୁଗୁଡ଼ା ଜିଲ୍ଲାର ବଡ଼ମାଳ ଥାନା ଅଞ୍ଚଳରୁ ଏକ ଟାୟାର ବୋଝେଇ ଟ୍ରକ ଲୁଟ ଘଟଣାରେ ଜଡ଼ିତ ଥିବା ୭ ଯୁବକଙ୍କୁ ଚୋରି ସାମଗ୍ରୀ ସହ ଅଟକ ରଖାଯାଇଛି। ଏହି ଘଟଣାର ତଦନ୍ତ ଜାରି ରହିଛି।

ଝାରସୁଗୁଡ଼ା ଏସପିଙ୍କ ତତ୍ତ୍ୱାବଧାନରେ ଗଠିତ ଏକ ବିଶେଷ ଟିମ୍ ଅନୁଗୁଳ ଜିଲ୍ଲାର ବଅଁରପାଳ ଥାନା ଅଞ୍ଚଳରେ ଚଢ଼ାଉ କରି ଏହି ସଫଳତା ହାସଲ କରିଛି। ସୂଚନା ଅନୁଯାୟୀ, ଦୁର୍ବୃତ୍ତମାନେ ବଡ଼ମାଳରୁ ଟ୍ରକଟି ଲୁଟି ନେଇଥିଲେ। ତଦନ୍ତରେ ଜଣାପଡ଼ିଛି ଯେ, ଅନୁଗୁଳର ବଅଁରପାଳ ଅଞ୍ଚଳରେ ଏହି ଲୁଟେରା ଦଳ ସକ୍ରିୟ ଥିଲା। ଅନୁଗୋଳ ଜିଲ୍ଲା ପୋଲିସର ସହଯୋଗରେ ବଅଁରପାଳ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଚୋରି ସାମଗ୍ରୀ ଜବତ କରାଯାଇଛି।

ଶୁକ୍ରବାର ପୂର୍ବାହ୍ଣରେ ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ୩୪ଟି ନୂଆ ଟାୟାର-ଟିୟୁବ୍ ସେଟ୍, ଗୋଟିଏ ଟ୍ରକ, ଗୋଟିଏ କାର ଏବଂ ଗୋଟିଏ ପିକଅପ୍ ଭ୍ୟାନ ରହିଛି। ଏହି ଅଭିଯାନରେ ବଅଁରପାଳ ଥାନା ଅଞ୍ଚଳର ୭ ଜଣ ଯୁବକଙ୍କୁ ଅଟକ ରଖାଯାଇ ପଚରାଉଞ୍ଚ କରାଯାଉଛି। ଅଟକ ଅଭିଯୁକ୍ତମାନେ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡ଼ିଛି।ତଦନ୍ତକାରୀ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିବା ବେଳେ ସେମାନେ ତଦନ୍ତ ପ୍ରକ୍ରିୟା ଜାରି ରହିଥିବାରୁ କୌଣସି ବିସ୍ତୃତ ସୂଚନା ଦେବାକୁ ଅସ୍ୱୀକାର କରିଛନ୍ତି। ରବିବାର ଦ୍ୱିପ୍ରହରରେ ସ୍ପେଶାଲ ସ୍କ୍ୱାର୍ଡ ଟିମ୍ ଅଟକ ୭ ଯୁବକ ଓ ଜବତ ସାମଗ୍ରୀକୁ ନେଇ ଝାରସୁଗୁଡ଼ା ଅଭିମୁଖେ ଯାତ୍ରା କରିଛି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ଏବଂ ପୋଲିସ ଅଧିକ ତଥ୍ୟ ସଂଗ୍ରହ କରୁଛି।