ଘଟଣା ଓ ଦୁର୍ଘଟଣା

କାରଖାନାରେ ୧୫ ଫୁଟ ଉପରୁ ପଡ଼ି ଶ୍ରମିକଙ୍କ ମୃତ୍ୟୁ ଅଭିଯୋଗ, ମେଡିକାଲରେ ଉତ୍ତେଜନା

By Angul TV Bureau

June 08, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଶ୍ରୀମେଟାଲିକ୍ କାରଖାନାରେ ୧୫ ଫୁଟ ଉପରୁ ପଡ଼ି ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ନାଲକୋ ଥାନା ଅନ୍ତର୍ଗତ ଅଞ୍ଚଳର କନ୍ୟାବେଡ଼ା ଗାଁର ବିକାଶ ଦାଶ(୩୦)।

ସୂଚନା ମୁତାବକ, ବିକାଶ ରବିବାର ସକାଳେ ଏ’ ସିଫ୍ଟ ଡ୍ୟୁଟି ପାଇଁ ଶ୍ରୀମେଟାଲିକ୍ କାରଖାନାକୁ ଯାଇଥିଲେ। ୧୫ ଫୁଟର ଉଚ୍ଚରେ ଲୁହା ପ୍ଲେଟ ଡ୍ରିଲ୍ ମାରୁଥିବା ବେଳେ ସେ ହଠାତ୍ ଖସି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଯୁବକଙ୍କ ମୃତ୍ୟୁ ପରେ ମେଡିକାଲ୍‌ରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ଖବର ପାଇ ପୁଲିସ୍ ଡାକ୍ତରଖାନାରେ ପହଞ୍ଚି ମୃତକଙ୍କ ପରିବାରକୁ ବୁଝାସୁଝା କରୁଥିବା ସୂଚନା ମିଳିଛି।