ମୁଖ୍ୟ ଖବର

ବାପାଙ୍କୁ ହସ୍ପିଟାଲରେ ଭର୍ତ୍ତି କରି ଫେରୁଥିଲେ, ବାଟରେ ଦୁର୍ଘଟଣାରେ ଗଲା ପୁଅର ଜୀବନ

By Angul TV Bureau

April 11, 2026

ଅନୁଗୁଳ: ନିଜ ଜନ୍ମକଲା ବାପାଙ୍କୁ ନୂତନ ଜୀବନ ଦେବା ପାଇଁ ହସ୍ପିଟାଲରେ ଭର୍ତ୍ତି କରି ଫେରୁଥିବା ବେଳେ ବାଟରେ ଆଖି ବୁଜିଲେ ପୁଅ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୋଟଙ୍ଗା ଥାନା ଅଞ୍ଚଳରେ, ଯେଉଁଠାରେ ଏକ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଜଣେ ବ୍ୟକ୍ତିଙ୍କର ପ୍ରାଣହାନି ଘଟିଛି।

ସୂଚନା ଅନୁଯାୟୀ, ତାଳଚେରସ୍ଥିତ ଏମ୍.ସି.ଏଲ୍ (MCL) ହିଙ୍ଗୁଳା କୋଇଲା ଖଣିର କର୍ମଚାରୀ ତଥା ଗୋପାଳପ୍ରସାଦ ବନବାସପୁର ଗ୍ରାମର ଗୁଣନିଧି ଜ୍ୟୋତିଷ ନିଜ ବାପାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଚିକିତ୍ସା ପାଇଁ ଏକ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ବାପାଙ୍କୁ ହସ୍ପିଟାଲରେ ଛାଡ଼ି ସେହି ଆମ୍ବୁଲାନ୍ସରେ ନିଜ ଗ୍ରାମକୁ ଫେରୁଥିବା ସମୟରେ ମୋଟଙ୍ଗା ଥାନା ଅନ୍ତର୍ଗତ ଅଞ୍ଚଳରେ ଆମ୍ବୁଲାନ୍ସଟି ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ଗୁଣନିଧିଙ୍କର ମୃତ୍ୟୁ ଘଟିଥିବା ବେଳେ ଆମ୍ବୁଲାନ୍ସ ଚାଳକ ଜଣକ ଗୁରୁତର ଭାବେ ଆହତ ହୋଇଛନ୍ତି। ଚାଳକଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ତୁରନ୍ତ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତଥା ହିଙ୍ଗୁଳା କୋଇଲା ଖଣି କର୍ମଚାରୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।