ଅନୁଗୁଳ: ଅନୁଗୁଳ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ୪୨୦୦ ଗ୍ରେଡ ପେ ଦାବି ନେଇ ଦାବିପତ୍ର ଦିଆଯାଇଛି।
ଅମଲା ମଞ୍ଚର ଅଭିଯୋଗ ଅନୁସାରେ, ଶିକ୍ଷାଗତ ଯୋଗ୍ୟତା ଆଧାରରେ ଜୁନିଅର ଆସିଷ୍ଟାଣ୍ଟଙ୍କୁ ୪୨୦୦ ଗ୍ରେଡ ପେ ଦେବା ପାଇଁ ଅନେକ ଦିନ ହେଲା ଦାବି ହୋଇ ଆସୁଥିବା ବେଳେ ଏ ଦିଗରେ ସରକାର ପଦକ୍ଷେପ ନେଉ ନାହାନ୍ତି। ସ୍ୱାଧୀନତା ପୂର୍ବରୁ ଅମଲା ମେଟ୍ରିକକୁଲେଟ ଥିବା ବେଳେ ବର୍ତ୍ତମାନ ଲେବଲ ୪ ରେ ଚାକିରି କରିଛନ୍ତି। ସେମାନଙ୍କର ଗ୍ରେଡ ପେ ୨ ହଜାର ହୋଇଥିବା ବେଳେ ଗ୍ରାଜୁଏସନ ଓ କମ୍ପ୍ୟୁଟର ନଲେଜ ଥିବା ଅମଲାମାନଙ୍କର ମାତ୍ର ୧୯୦୦ ଗ୍ରେଡ ପେ ରହିଛି। ଏଥିପାଇଁ ସେମାନଙ୍କ ଗ୍ରେଡ ପେ ୪୨୦୦ କୁ ବୃଦ୍ଧି କରିବାକୁ ଦାବି କରି ଆଜି ଶତାଧିକ ଅମଲା ଜଗନ୍ନାଥ ମନ୍ଦିର ନିକଟରୁ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା।