ମୁଖ୍ୟ ଖବର

ଅନୁଗୁଳ ସହରରେ ବୁଲୁଛି ହାତୀ! ଭାଇରାଲ ହେଉଛି ଫଟୋ: ଏଆଇରେ ଏଡିଟ୍ କରାଯାଇଥିବା ସନ୍ଦେହ

By Angul TV Bureau

September 17, 2024

ଅନୁଗୁଳ: ଅନୁଗୁଳ ସହରରେ ହାତୀ। ଜଙ୍ଗଲ ଛାଡ଼ି ସହର ମୁହାଁ ହୋଇଛନ୍ତି ହାତୀ। ଅନୁଗୁଳ ସହରରେ ଏକ ହାତୀ ନିର୍ଭୟରେ ବୁଲୁଥିବା ଫଟୋ ଆଜି ସକାଳୁ ଭାଇରାଲ ହେଉଛି। ଫଟୋଟି ଏ ମୋବାଇଲରୁ ସେ ମୋବାଇଲ ହୋଇ ପ୍ରାୟ ସମସ୍ତଙ୍କ ପାଖେ ପହଞ୍ଚି ସାରିଲାଣି। ଯାହା ଦେଖି ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ଫଟୋଟି ହରିମହୁରି ଛକ ୫୫ ନଂ ଜାତୀୟ ରାଜପଥର। ସେହି ସ୍ଥାନରେ ହାତୀଟି ଚାଲୁଥିବା ଦେଖିବାକୁ ମିଳିଛି।

ଫଟୋର ସତ୍ୟତା ଜାଣିବାକୁ ଆମ ଏଟିଭି ପ୍ରତିନିଧି ଯାଇ ହରିମହୁରି ଛକର ବିଭିନ୍ନ ଦୋକାନର ସିସି ଟିଭି ଫୁଟେଜ ଦେଖି ଥିଲେ। ଅଧା ଫଟୋ ହରିମହୁରି ଛକର ଥିବା ବେଳେ ଆଉ ଅଧା ଅନ୍ୟ କୌଣସି ଅଞ୍ଚଳ ହୋଇଥିବା ଜଣାପଡ଼ିଛି। ତେଣୁ କେହି ଜାଣିଶୁଣି ଏଆଇ ସାହାଯ୍ୟରେ ଏହି ଫଟୋଟି ଏଡିଟ କରି ବିଭିନ୍ନ ସୋସିଆଲ ମିଡିଆରେ ଛାଡ଼ି ଥିବା ଅନୁମାନ କରାଯାଉଛି। ତେବେ ଏଭଳି କରିଥିବା ବ୍ୟକ୍ତି ଲୋକଙ୍କୁ ହାତୀର ଭୟ ଦେଖାଇ ଆତଙ୍କିତ କରିବାକୁ ଚାହୁଁଛି କି ମଜା ନେବାକୁ ଏମିତି କରିଛି ସେ ନେଇ ଜଣାପଡ଼ିନାହିଁ।

ଅନ୍ୟପଟେ ଅନୁଗୁଳ ବନ ବିଭାଗ ମଧ୍ୟ ହାତୀର ସହର ପ୍ରବେଶ ନେଇ କୌଣସି ସୂଚନା ଦେଇନାହିଁ। ସୂଚନାଯୋଗ୍ୟ ଯେ ଏବେ ଏଆଇ ସାହାଯ୍ୟରେ ଲୋକମାନେ ଟେକ୍ନୋଲୋଜିକୁ ମନ ଇଚ୍ଛା ବ୍ୟବହାରକରି ଦୁରୂପଯୋଗ କରୁଛନ୍ତି। କାହାର ଖେଳ ଆଉ କାହା ପାଇଁ କାଳ ପାଲଟୁଛି। ଏଣୁ ଏସବୁ ଉପରେ ଧ୍ୟାନ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।