ମୁଖ୍ୟ ଖବର

ଅନନ୍ୟ ଅନୁଗୁଳର ତିନି ଖେଳରତ୍ନ

By Biswaranjan Pattnaik

April 23, 2025

ଅନୁଗୁଳ: ରାଜ୍ୟ ଖେଳ ମାନଚିତ୍ରରେ ଅନୁଗୁଳର ସ୍ଥାନ ବହୁ ତଳେ।ଜିଲ୍ଲାରେ ସବୁ ଥାଇ କିଛି ନଥିଲା ଭଳି। ଏସବୁ ସତ୍ତ୍ୱେ ଏମିତି କିଛି ପ୍ରତିଭା ଅଛନ୍ତି ଯେଉଁମାନେ ସବୁ ବାଧା ବିଘ୍ନକୁ ଦୂର କରି ନିଜ ଟାଲେଣ୍ଟ ବଳରେ ଜିଲ୍ଲା ପାଇଁ ଅନେକ ଗୌରବ ସାଉଁଟିଛନ୍ତି। ଯୁବ କ୍ରିକେଟ ବ୍ୟାଟର ଶ୍ରେୟାଂଶ ଭରଦ୍ୱାଜ ତନ୍ମଧ୍ୟରୁ ଜଣେ। ଗତ ଦୁଇ ତିନି ବର୍ଷ ଧରି ଅନେକ ରାଜ୍ୟ ଓ ଜାତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ସେ ନିଜ ଦକ୍ଷତା ପ୍ରଦର୍ଶନ କରିଛନ୍ତି। ଗତ ଏପ୍ରିଲ ୨୧ ତାରିଖରେ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାକୁ ଯାଉଥିବା ଚାରୋଟି ତିନି ଦିନିଆ ଓ ତିନୋଟି ଦିନିକିଆ ମ୍ୟାଚରେ ଓଡ଼ିଶାର ଯେଉଁ ଦଳ ଅଭିଜ୍ଞତା ହାସଲ ପାଇଁ ଯାଇଛନ୍ତି ସେଥିରେ ଶ୍ରେୟଂଶ ସ୍ଥାନ ପାଇଛନ୍ତି।

ସେହିଭଳି ଗତ ୨୧ ରୁ ୨୪ ତାରିଖ ଯାଏ କେରଳର କୋଚି ଠାରେ ଆୟୋଜିତ ହୋଇଥିବା ଜାତୀୟ ଫେଡେରେଶନ ବରିଷ୍ଠ ଦୌଡ଼ କୁଦ ପ୍ରତିଯୋଗିତାରେ ଅନୁଗୁଳର ସ୍ଵାଧୀନ ମାଝୀ ଉଚ୍ଚ ଡିଆଁରେ ୨.୧୪ ମିଟର ଡେଇଁ ରୌପ୍ୟ ପଦକ ହାସଲ କରିଛନ୍ତି। ଜଣେ ଷ୍ଟାର ଆଥଲେଟ ଭାବେ ଓଡ଼ିଶାରେ ତାଙ୍କର ସୁନାମ ରହିଛି।

ଅନୁଗୁଳର ଅନ୍ୟତମ ତାରକା ସଟଲର ବା ବ୍ୟାଡମିଣ୍ଟନ ତାରକା ଅବିନାଶ ମହାନ୍ତି ଆସନ୍ତା ଜୁଲାଇ ୧୭ ରୁ ୨୬ ତାରିଖ ଯାଏ ଜର୍ମାନୀରେ ଆୟୋଜିତ ହେବାକୁ ଥିବା ଅର୍ନ୍ତରାଷ୍ଟ୍ରୀୟ ବିଶ୍ଵବିଦ୍ୟାଳୟ ଖେଳରେ ଡବଲ୍‌ସରେ ଭାରତର ପ୍ରତିନିଧିତ୍ଵ କରିବାକୁ ମନୋନୀତ ହୋଇଛନ୍ତି। ଅନୁଗୁଳର ଏହି ତିନି ଖେଳରତ୍ନଙ୍କ ସଫଳତା କାମନା କରିବା ସହ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଏବଂ ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ। ଏଟିଭି ମଧ୍ୟ ତିନି ଖେଳରତ୍ନଙ୍କ ଉନ୍ନତି ଓ ସଫଳତା କାମନା କରୁଛି।