ମୁଖ୍ୟ ଖବର

ଛେଣ୍ଡିପଦାରେ କୋଇଲା ଖଣିକୁ ଘୋର ବିରୋଧ: ତହସିଲ କାର୍ଯ୍ୟାଳୟ ଘେରିଲା ଆଞ୍ଚଳିକ ସୁରକ୍ଷା ମଞ୍ଚ

By Angul TV Bureau

January 15, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ କୋଇଲା ଖଣିକୁ ବିରୋଧ କରି ଛେଣ୍ଡିପଦା ଆଞ୍ଚଳିକ ସୁରକ୍ଷା ମଞ୍ଚ ପକ୍ଷରୁ ତହସିଲ ଅଫିସ ଘେରାଉ କରାଯାଇଛି। ମଞ୍ଚ ସଭାପତି ଗୋବର୍ଦ୍ଧନ ନାୟକଙ୍କ ନେତୃତ୍ୱରେ ପୋଡାପଡା, ହାଣ୍ଡିଗୋଡା, ମାଛକୁଟା ସାଲୁଇଖମଣ ଆଦି କ୍ଷତିଗ୍ରସ୍ତ ପ୍ରାୟ ୨ ହଜାରରୁ ଅଧିକ ପୁରୁଷ ମହିଳା ଛେଣ୍ଡିପଦା ଡାକବଙ୍ଗଳା ଠାରୁ ଏକ ବିରାଟ ରାଲିରେ ଆସି ତହସିଲ କାର୍ଯ୍ୟାଳୟ ବନ୍ଦ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ସେମାନେ ଅଭିଯୋଗ କରିଛନ୍ତି ଯେ ଜିଲ୍ଲା ପ୍ରଶାସନ ପକ୍ଷରୁ ବାହାର ରାଜ୍ୟର କମ୍ପାନୀକୁ ଅଣାଯାଇ ଏଠାକାର ଲୋକଙ୍କ ଜମିକୁ ଶାଗମାଛ ଦରରେ ଅଧିଗ୍ରହଣ କରାଯାଉଛି। ବାରମ୍ଵାର ପ୍ରତିବାଦ ସତ୍ତ୍ବେ ଜିଲ୍ଲାର ପ୍ରଶାସନିକ ଅଧିକାରୀ ମାନେ ଚଞ୍ଚକତା କରି ଜନ-ଜୀବନ ଓ ଜୀବିକା, ପରିବେଶର ବ୍ୟାପକ କ୍ଷତି କରିବାକୁ ବସିଛନ୍ତି। ଏ ନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଆଞ୍ଚଳିକ ସୁରକ୍ଷା ମଞ୍ଚ ପକ୍ଷରୁ ଏକ ଦାବି ପତ୍ର ଛେଣ୍ଡିପଦା ତହସିଲଦାର ମାନସ ରାୟଙ୍କୁ ପ୍ରଦାନ କରାଯାଇଛି। ତେବେ ତହସିଲଦାର ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେବା ପରେ ତହସିଲ କାର୍ଯ୍ୟାଳୟ ସାମ୍ନାରୁ ଧାରଣା ପ୍ରତ୍ୟାହୃତ ହୋଇଛି।

ଏହି ଆନ୍ଦୋଳନରେ ଆଞ୍ଚଳିକ ସୁରକ୍ଷା ମଞ୍ଚର ସମ୍ପାଦକ ବିଶ୍ୱାମିତ୍ର ସାହୁ, ପରିବେଶବିତ ଡ଼ଃ ବିଶ୍ୱଜିତ, ଆଞ୍ଚଳିକ ସୁରକ୍ଷା ମଞ୍ଚ ସଦସ୍ୟା ସସ୍ମିତା ବେହେରା, ଏସୟୁସିଆଇ ନେତା ନବକିଶୋର ପ୍ରଧାନ, ଉଦୟନାଥ ବେହେରା, ବିଦ୍ୟାଧର ସାହୁ, ବିଜୟ ସାହୁ, ହଳଧର ସେଠୀଙ୍କ ସମେତ ପ୍ରାୟ ୨ ହଜାରରୁ ଅଧିକ ପୁରୁଷ ମହିଳା ସାମିଲ ହୋଇଥିଲେ।